FeaturedLatestNews

ଅଗଷ୍ଟ ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ, ୫ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଆଉ ଏକ ଲଘୁଚାପ ଅଗଷ୍ଟ ୨୫ ତାରିଖ ବେଳକୁ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ଲାଗିରହିବ। ଗତକାଲି ଉତ୍ତର ଓଡ଼ିଶା ଓ ତତସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେଟିକ ପଶ୍ଚିମବଙ୍ଗ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଥିଲା। ପ୍ରଭାବରେ ଆଜି ରାଜ୍ୟରେ ଅତିପ୍ରବଳ ବର୍ଷାର ଚେତାବନୀ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି। କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ ଅନୁଗୁଳ, ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରିଛି। ବର୍ଷା ସମୟରେ ଘଣ୍ଟା ପିଛା ପବନର ବେଗ ୩୦ରୁ ୪୦ କିମି ହେବାର ସମ୍ଭାବନା ରହିଛି।

ଅଗଷ୍ଟ ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ଯୋଗୁଁ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଶ୍ୱବର୍ତୀ ଅଂଚଳରେ ସାରା ରାଜ୍ୟରେ ବର୍ଷା ବଢିବ। ପ୍ରବଳ ବର୍ଷା ପାଇଁ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ। ବର୍ଷା ସମୟରେ ୩୦ରୁ ୪୦ କିମିର ଝଟକା ପବନ ହେବାର ସମ୍ଭାବନା ରହିଛି। ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୩ ଓ ୨୪ ତାରିଖ ଦୁଇ ଦିନ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲା ଖୋର୍ଦ୍ଧା, ଗଂଜାମ ଓ କଳାହାଣ୍ଡିରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି। ଗଜପତି ଓ ନବରଙ୍ଗପୁରରେ ଏବେବି ବର୍ଷାର ଉତ୍କଟ ସ୍ଥିତି ରହିଛି। ୨୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧୩୫ ମିମି ବର୍ଷା ସମ୍ବଲପୁରର ନାକଟିଦେଉଳରେ ରେକର୍ଡ କରାଯାଇଛି।