ଭୁବନେଶ୍ୱର ବିମାନବନ୍ଦରରେ ଉଡାଣ କାଫେ ଓ କିଡ୍ସ ଜୋନର ଶୁଭାରମ୍ଭ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଉଡାଣ କାଫେ ଏବଂ କିଡ୍ସ ଜୋନର ଶୁଭାରମ୍ଭ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କେ. ରାମମୋହନ ନାଇଡୁ ଏହାର ଉଦଘାଟନ କରିଛନ୍ତି। ଏହି ନୂତନ ସୁବିଧା ଖୋଲିବା ପରେ ବିମାନବନ୍ଦରରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ଶସ୍ତା ହେବ ବୋଲି ଆଶା କରାଯାଉଛି। ଏଠାରେ ଯାତ୍ରୀମାନେ ସୁଲଭ ମୂଲ୍ୟରେ ଚା, କଫି ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପାଇପାରିବେ। କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯାହାଦ୍ୱାରା ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ।
ଗତବର୍ଷ କୋଲକାତାରେ ପ୍ରଥମ ଉଡାଣ କାଫେ ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ଚେନ୍ନାଇ, ଅହମଦାବାଦ ଏବଂ ପୁନେ ବିମାନବନ୍ଦରରେ ମଧ୍ୟ ଏହି ସେବା ଆରମ୍ଭ ହୋଇଥିଲା। ଏସବୁ ସହର ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଏହାର ଶୁଭାରମ୍ଭ ହୋଇଛି।
ଉଦଘାଟନ ସମୟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଆସନ୍ତା ୧ ବର୍ଷ ମଧ୍ୟରେ ଦେଶର ୧୦ ରୁ ୧୫ଟି ବଡ଼ ବିମାନବନ୍ଦରରେ ଏହି କାଫେ ଖୋଲିବା। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ୨୦ଟି ଏୟାରଷ୍ଟ୍ରିପ୍ ରହିଛି ଏବଂ ଯଦି ସେଠାରେ ଜାଗା ମିଳିବ, ତେବେ ସେଠାରେ ବିମାନବନ୍ଦର ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ସହଯୋଗ ପାଇଲେ ଏହା ସମ୍ଭବ ହୋଇପାରିବ।
ପୁରୀ ବିମାନବନ୍ଦର ପାଇଁ ସାଇଟ୍ କ୍ଲିଅରାନ୍ସ ଦିଆଯାଇସାରିଛି ବୋଲି ମନ୍ତ୍ରୀଙ୍କ କହିଛନ୍ତି। ରାଜ୍ୟ ସରକାର ଏହାର ନିର୍ମାଣ କାର୍ଯ୍ୟ ଦେଖିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଶୀଘ୍ର ପୁରୀରେ ବିମାନବନ୍ଦର ହେବ ବୋଲି ଆଶା କରାଯାଉଛି।
