FeaturedLatestNews

ମୁଖ୍ୟମନ୍ତ୍ରୀଙ୍କୁ ସମବାୟ ବିକାଶରେ ସହଯୋଗର ଆଶ୍ୱାସନା ଦେଲେ କେନ୍ଦ୍ର ସମବାୟ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରୀୟ ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ବୈଠକରେ ଓଡ଼ିଶାର ସମବାୟ କ୍ଷେତ୍ରର ଅଭିବୃଦ୍ଧି ସହିତ ଜଡିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ରର ଅଗ୍ରଗତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ହାସଲ କରାଯାଇଥିବା ସଫଳତା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେ ପ୍ୟାକ୍ସର ୠଣ ପରିଶୋଧ ସମୟସୀମା ୫ ବର୍ଷରୁ ବୃଦ୍ଧି କରି ୧୦ ବର୍ଷ କରିବା, ବଡ଼ମ୍ବା ଓ ବଲାଙ୍ଗୀରର ଚିନି କଳକୁ କାର୍ଯ୍ୟକ୍ଷମ କରିବା, ଗୋପାଳପୁରରେ ଜାତୀୟ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଏକ ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲା ଓ ସବ୍-ଡିଭିଜନ୍ରେ ଶୀତଳ ଭଣ୍ଡାର ଓ ପଣ୍ୟାଗାର ସ୍ଥାପନ, କୃଷକ ଉତ୍ପାଦକ ସଂଗଠନ ବୃଦ୍ଧି କରିବା ଏବଂ ସମସ୍ତ ନୂତନ ପ୍ରାଥମିକ କୃଷି ସମବାୟ ସମିତିମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୋହୋଲ୍ ଓଡ଼ିଶା ସରକାରଙ୍କ ଦ୍ୱାରା ସମବାୟ କ୍ଷେତ୍ରର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପପାଇଁ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଭାରତ ସରକାର ବିଭିନ୍ନ ରାଜ୍ୟରେ ସମବାୟ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ କିଛି ରାଜ୍ୟକୁ ପାଇଲଟ ପ୍ରୋଜେକ୍ଟ ଭାବରେ ଗ୍ରହଣ କରାଯାଇଛି। ସେ ସମସ୍ତ ରାଜ୍ୟର କାର୍ଯ୍ୟପଦ୍ଧତିର ଅଧ୍ୟୟନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ, ଓଡ଼ିଶା ସରକାରଙ୍କ ପକ୍ଷରୁ ସମବାୟ ବିକାଶ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସହାୟତା କେନ୍ଦ୍ର ସରକାର ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସମବାୟ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଟ, କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଶ୍ରୀ ରମଣ କୁମାର, ଶ୍ରୀ ଆନନ୍ଦ ଝା ଏବଂ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।