ଚାଷୀଙ୍କ ଖାତାରେ ଜମା ହେଲା ସିଏମ୍ କିଷାନ ଯୋଜନାର ତୃତୀୟ କିସ୍ତିର ଟଙ୍କା
ଭୁବନେଶ୍ଵର:(ସଂକେତ ଟିଭି)ପବିତ୍ର ନୂଆଁଖାଇ ପର୍ବ ଉପଲକ୍ଷେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶିର ତୃତୀୟ କିସ୍ତି ଭାବରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମି ହୀନ କୃଷକ ପରିବାର, ଅନୁସୂଚିତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡି.ବି.ଟି. ମାଧ୍ୟମରେ ମୋଟ ୧,୦୪୧ କୋଟି ଟଙ୍କା ପ୍ରେରଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦ୍ଘାଟନ କରିଛନ୍ତି । ତାଙ୍କ ଦ୍ଵାରା ଏହି ମଧ୍ୟ ଘୋଷିତ ହୋଇଛି ଯେ କୃଷକ ପଞ୍ଜିକରଣ ଅବଧି ଖୁବ ଶୀଘ୍ର ବୃଦ୍ଧି କରାଯିବ ।
କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସି.ଏମ୍. କିଷାନ ସହାୟତା ଯୋଗୁଁ ପୁଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତିକମରେ ୩୮,୦୦୦ ଟଙ୍କା ଯୋଡ଼ି ହୋଇଛି । ସୁଭଦ୍ରା ଯୋଜନାର ୧୦,୦୦୦ ଟଙ୍କା ଏବଂ ପି.ଏମ. ଓ ସି.ଏମ. କିଷାନର ୧୦,୦୦୦ ଟଙ୍କାକୁ ଯୋଡିଲେ ଚାଷୀଙ୍କ ବାର୍ଷିକ ଆୟ ଅତିକମରେ ୫୮,୦୦୦ ଟଙ୍କା ବୃଦ୍ଧି ପାଇଛି । ସେ ଜୋର୍ ଦେଇ କହିଛନ୍ତି ଯେ ଅନ୍ନଦାତାଙ୍କ ଉନ୍ନତି ବିନା ରାଜ୍ୟର ପ୍ରଗତି ଅସମ୍ଭବ ।
ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ସେ ଆଶ୍ବାସନା ଦେଇ କହିଛନ୍ତି ଯେ ଜଣେ ହେଲେ ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି, ସେ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବେ ।
ଏହି ଯୋଜନା ଅନ୍ତର୍ଗତ ଭୂମି ହୀନ କୃଷି ପରିବାରକୁ ଛେଳି, କୁକୁଡା, ବତକ ପାଳନ, ଛତୁ/ମହୁ ଚାଷ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି କାର୍ଯ୍ୟ ନିମନ୍ତେ ତିନୋଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥାଏ ।
ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ସି.ଏମ୍. କିଷାନ ହିତାଧିକାରୀଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଗତ ଶିକ୍ଷା ବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୫୩ କୋଟି ୬୯ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦିଆଯାଇଛି । ଯୁବ କୃଷି ଉଦ୍ୟୋଗୀମାନଙ୍କୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ରିହାତି ଜରିଆରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି । ୨୦୨୪-୨୫ ବର୍ଷରେ ୧,୪୦୬ ଟି ପ୍ରକଳ୍ପକୁ ୧୮୮ କୋଟି ୩୪ ଲକ୍ଷ ଟଙ୍କାର ରିହାତି ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ଵର (ଏକାମ୍ର) ବିଧାୟକ ବାବୁ ସିଂହ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓୟୁଏଟିର କୁଳପତି ଡଃ ପ୍ରଭାତ କୁମାର ରାଉଳ ସହିତ ବହୁ ବରିଷ୍ଠ ଅଧିକାରୀ, ୬୦୦ରୁ ଅଧିକ କୃଷକ ଏବଂ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।