ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଦର୍ଶନ କଲେ ଲୋକସଭା ବାଚସ୍ପତି
ଭୁବନେଶ୍ୱର (ସଂକେତ୍ ଟିଭି)ଲୋକସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁରୀ ପହଞ୍ଚି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏବଂ ପୂଜାର୍ଚ୍ଚନା କରିଛନ୍ତି ।
ପ୍ରଥମେ ସ୍ଵତନ୍ତ୍ର ସର୍କିଟ ହାଉସରେ ସ୍ନାନ ଓ ଶୌଚାଦି କାର୍ଯ୍ୟ ସାରି ସେମାନେ ଶ୍ରୀମନ୍ଦିର ଆଡ଼କୁ ଯାତ୍ରା କରିଥିଲେ । ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ୍ ଅଧିକାରୀ ସେମାନଙ୍କୁ ସ୍ଵାଗତ ଜଣାଇଥିଲେ ।
ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରି ସେମାନେ ପ୍ରଥମେ ଅରୁଣ ସ୍ତମ୍ଭ ନିକଟରେ ପ୍ରଣିପାତ କରିଥିଲେ । ପରେ ପତିତପାବନ ଦର୍ଶନ କରି ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ । ସେଠାରେ ସେମାନେ କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ସାତପାହାଚ ଡେଇଁ ରତ୍ନସିଂହାସନସ୍ଥିତ ଚତୁର୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ।
ଏହାପରେ ସେମାନେ ମନ୍ଦିରର ବେଢ଼ା ପରିକ୍ରମା କରି ମା’ ମଙ୍ଗଳା, ମା’ ବିମଳା ଏବଂ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ ଲାଭ କରିଥିଲେ । ଦର୍ଶନ ପୂଜା ଶେଷରେ ମହାପ୍ରସାଦ ସେବନ କରିଛନ୍ତି । ଶ୍ରୀଜିଉଙ୍କ ଦର୍ଶନ ପରେ ସେମାନେ ବେଶ୍ ଆନନ୍ଦିତ ଓ ପ୍ରସନ୍ନ ବୋଲି କହିଛନ୍ତି । ସାରା ବିଶ୍ଵ ଓ ଦେଶର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଏଥିସମୟରେ ପୁରୀ ସାଂସଦ ସମ୍ବିତ ପାତ୍ର, କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ ।
