୩୧ ଅଗଷ୍ଟରେ ନୂତନ ଏନଏସି ଓ ମହାନଗର ନିଗମ ଘୋଷଣା
ଭୁବନେଶ୍ୱର (ସଂକେତ୍ ଟିଭି)ରାଜ୍ୟର ସହରୀକରଣ ହାର ୧୭%ରୁ ବୃଦ୍ଧି କରାଇ ୪୦%କୁ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିକଶିତ ଓଡ଼ିଶା ୨୦୩୬ ମଞ୍ଚରେ ଏହି ଘୋଷଣା କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ। ସହରୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଅଗାମୀ ୩୧ ଅଗଷ୍ଟରେ କେତେକ ନୂତନ ନଗର ପରିଷଦ (NAC) ଓ ମହାନଗର ନିଗମ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।
ଗତ ୧୬ ଅଗଷ୍ଟରେ ରାଜ୍ୟ ସରକାର ୭ଟି ଜିଲ୍ଲାର ୧୨ଟି ଅଞ୍ଚଳକୁ ନୂତନ ନଗର ପରିଷଦ (NAC) ଭାବେ ଘୋଷଣା କରିବାକୁ ପ୍ରସ୍ତାବିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ତାଲିକାରେ ଅନୁଗୁଳ ଜିଲ୍ଲାର ପାଲଲହଡା, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ବାଲେଶ୍ୱର ଜିଲ୍ଲାର ସିମୁଳିଆ ଓ ବସ୍ତା, ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡା, ରାୟଗଡା ଜିଲ୍ଲାର ବିଷମକଟକ, ସମ୍ବଲପୁର ଜିଲ୍ଲାର ବାମରା ଓ ରେଙ୍ଗାଲି ଏବଂ ଭଦ୍ରକ ଜିଲ୍ଲାର ତିହିଡି ଓ ଧୁଷୁରି ଅଞ୍ଚଳଗୁଡିକ ଅନ୍ତର୍ଭୁକ୍ତ ଥିଲା।
ସହର ସଂଖ୍ୟା, ଭୌଗୋଳିକ ସ୍ଥିତି ଏବଂ ବିକାଶର ମୌଳିକ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳଗୁଡିକୁ ଏନଏସି ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଆଣାଯାଇଥିଲା। ମାତ୍ର, ଏହି ତାଲିକା ନେଇ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଅନେକ ଅଞ୍ଚଳର ଲୋକେ ନିଜ ଅଞ୍ଚଳକୁ ମଧ୍ୟ ଏନଏସି ମାନ୍ୟତା ଦେବାକୁ ଦାବି ଜୋରଦାର କରିଥିଲେ।
ଏହି ପରିସ୍ଥିତିରେ, ସରକାର ଆହୁରି ଅଧିକ ନୂତନ ନଗର ପରିଷଦ ଏବଂ ଏକ ନୂତନ ମହାନଗର ନିଗମ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ନଗର ଉନ୍ନୟନ ମନ୍ତ୍ରୀଙ୍କ ମତରେ, ଏହି ପଦକ୍ଷେପ ରାଜ୍ୟର ସହରୀକରଣ ହାରକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବାରେ ସହାୟକ ହେବ।