ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:(ସଂକେତ ଟିଭି) ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଆଦି ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ବସ୍ ସେବା ପାଇଁ ହ୍ୱାଟସ୍ ଆପ୍ ଆଧାରିତ ଟିକେଟ୍ ବୁକିଂ ସେବାର ଶୁଭାରମ୍ଭ କରିଛନ୍ତି, ଯାହାଦ୍ଵାରା ଡିଜିଟାଲ୍ ଟିକେଟ୍ କିଣୁଥିବା ଯାତ୍ରୀଙ୍କୁ ରିହାତି ମଧ୍ୟ ଦିଆଯିବ। ଏଥିସହିତ ଜାତୀୟ ଏକକ ଗମନାଗମନ କାର୍ଡ୍ (National Common Mobility Card) ଲୋକାର୍ପଣ ଏବଂ ଡିଜିଟାଲ୍ ପାସ୍ ବ୍ୟବସ୍ଥାକୁ ଅନ୍ୟ ସହରଗୁଡ଼ିକୁ ସମ୍ପ୍ରସାରିତ କରାଯିବ।
ସମଗ୍ର ରାଜ୍ୟରେ ‘ସହଯୋଗ’ ଅଭିଯାନ କାର୍ଯ୍ୟକାରୀ ହେବ। ସମାବେଶୀ ସହର ଗଠନ ନିମନ୍ତେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହ ଏକ ବୁଝାମଣା ସହମତି ପତ୍ର ହସ୍ତାନ୍ତରିତ ହୋଇଛି। ଏଥିସହିତ ସହର ସାଥ୍ କଲ୍ ସେଣ୍ଟର ଏବଂ ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସିୟୁଜି ନମ୍ବର ବଣ୍ଟନ କରାଯିବ।
କାର୍ଯ୍ୟକ୍ରମରେ ଜଳସାଥୀ, ସ୍ଵଚ୍ଛ ସାଥୀ, ପରିମଳ କର୍ମଚାରୀ ଏବଂ ଶ୍ରେଷ୍ଠ ପୌର ସଂସ୍ଥାକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୁଲଭ ଆବାସ ବଣ୍ଟନ ଏବଂ ପିଏମ୍ ଆବାସ ଯୋଜନା ଅଧୀନରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଏକ ନୂତନ ଲୋଗୋ ଉନ୍ମୋଚନ କରିଛନ୍ତି। ଏହାଛଡ଼ା ୪୩ଟି ବହୁମୁଖୀ ଭବନର ଲୋକାର୍ପଣ, ‘ଅମୃତ’ ଏବଂ ‘ସୁଜଳ’ ଅଧୀନରେ ଜଳ ଯୋଗାଣ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ ଏବଂ ଭୁବନେଶ୍ୱର ମହାନଗର ନିଗମ ପାଇଁ ଏକ ହ୍ୱାଟସ୍ ଆପ୍ ବଟ୍ ସେବାର ଶୁଭାରମ୍ଭ କରାଯାଇଥିଲା। ଏହି ସମସ୍ତ ପ୍ରୟାସ ସ୍ବାୟତ୍ତ ଶାସନ ଓ ନାଗରିକ ସେବାକୁ ଅଧିକ ନିୟମିତ ଓ ସୁଗମ କରିବା ଲକ୍ଷ୍ୟରେ ଗ୍ରହଣ କରାଯାଇଛି।