ଯୁଦ୍ଧ ସମାପ୍ତି ଦିଗରେ କାମ କରିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଲେ ମୋଦି
ନୂଆଦିଲ୍ଲୀ (ସଂକେତ୍ ଟିଭି) ଚୀନର ତିଆନଜିନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀର ଅବସାନରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ତିଆନଜିନ୍ର ହୋଟେଲ ରିଟ୍ଜ କାର୍ଲଟନରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ନେତା ସେମାନଙ୍କ ପ୍ରତିନିଧିମଣ୍ଡଳୀ ସହିତ ଉପସ୍ଥିତ ଥିଲେ।
ଏହି ବୈଠକ ଏମିତି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଚାପ ସୃଷ୍ଟି କରୁଛନ୍ତି। ଏହି ବିବାଦର ପରିଣାମ ସ୍ୱରୂପ ଆମେରିକା ଭାରତୀୟ ତେଲ ଆମଦାନୀ ଉପରେ ୫୦% ଶୁଳ୍କ ଆରୋପ କରିଛି। ଆମେରିକାର ମତରେ, ରୁଷଠାରୁ ତେଲ କିଣି ଭାରତ ୟୁକ୍ରେନ୍ ସହିତ ଚାଲିଥିବା ଯୁଦ୍ଧ ପାଇଁ ରୁଷକୁ ଅପ୍ରତ୍ୟକ୍ଷ ସାହାଯ୍ୟ କରୁଛି। ଏହି ପୃଷ୍ଠଭୂମିରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ବନ୍ଧୁ ପୁଟିନଙ୍କୁ ଯୁଦ୍ଧ ସମାପ୍ତି ଦିଗରେ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମେ ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରିଆସୁଛୁ। ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଆମେ ସ୍ୱାଗତ କରୁଛୁ। ଆଶା କରୁଛୁ ଯେ ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ। ଯଥାଶୀଘ୍ର ସମ୍ଭବ ସଂଘର୍ଷର ଅନ୍ତ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଉପାୟ ଖୋଜିବାକୁ ହେବ। ଯୁଦ୍ଧର ସମାପ୍ତି ଜରୁରୀ।”
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ସମସ୍ୟା ସମୟରେ ଭାରତ-ରୁଷ ସମ୍ପର୍କରେ ଥିବା ସ୍ଥିରତାକୁ ପୁନର୍ବାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଭାରତ ଏବଂ ରୁଷ ସବୁବେଳେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।”
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ସବୁବେଳେ ଅନୁଭବ କରେ ଯେ, ଆପଣଙ୍କ (ପୁଟିନ୍) ସହିତ ସାକ୍ଷାତ ସବୁବେଳେ ଏକ ସ୍ମରଣୀୟ ହୋଇଥାଏ। ଆମକୁ ଅନେକ ବିଷୟରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମିଳିଥାଏ। ଆମେ ନିରନ୍ତର ଯୋଗାଯୋଗରେ ରହିଛୁ। ନିୟମିତ ଭାବରେ ଉଭୟ ପକ୍ଷ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଚଳିତ ବର୍ଷ ଡିସେମ୍ବରରେ ଆମର ୨୩ତମ ଶିଖର ସମ୍ମିଳନୀ ପାଇଁ ୧୪୦ କୋଟି ଭାରତୀୟ ଆପଣଙ୍କ ଅପେକ୍ଷାରେ ଅଛନ୍ତି।”