GeneralLatest

ଇସ୍ତଫା ଦେଲେ ଜାପାନୀ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା

ନୂଆଦିଲ୍ଲୀ (ସଂକେତ ଟିଭି): ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ନିଜ ପଦଠାରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଏକ ବର୍ଷ କାର୍ଯ୍ୟ କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ, ତାଙ୍କ ନେତୃତ୍ୱାଧୀନ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDP) ଭିତରେ ବିଭାଜନ ରୋକିବା ପାଇଁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ ଜୁଲାଇ ମାସରେ ହୋଇଥିବା ସଂସଦୀୟ ନିର୍ବାଚନରେ ଇଶିବାଙ୍କ ମେଣ୍ଟ ସରକାର ୨୪୮ ସିଟ୍‌ ଥିବା ଉପର ସଦନରେ ବହୁମତ ହାସଲ କରିପାରିନଥିଲା। ଏହି କଡ଼ା ପରାଜୟ ପରଠାରୁ ତାଙ୍କୁ ପଦ ଛାଡ଼ିବା ପାଇଁ ଚାପ ଦେଇଆସୁଥିଲା। ଏଥିସହ ଗତ ଏକ ମାସ ଧରି ସେ ନିଜ ଦଳ ଭିତରେ ଦକ୍ଷିଣପନ୍ଥୀ ବିରୋଧୀଙ୍କ ଦାବିର ସମ୍ମୁଖୀନ ହୋଇଥିଲେ। ଏହି ପରିସ୍ଥିତିରେ ରବିବାର ଦିନ ଇଶିବା ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ଲିବରାଲ ଡେମୋକ୍ରାଟିକ୍ ପାର୍ଟି ଏହାର ନୂଆ ନେତା ବାଛିବା ପାଇଁ ସୋମବାର ନିର୍ବାଚନ କରିବା ଯୋଜନା କରିଥିଲା। ହେଲେ ଏହି ନିଷ୍ପତ୍ତି ନିଆଯିବା ପୂର୍ବରୁ ହିଁ ଶିଗେରୁ ଇଶିବା ଇସ୍ତଫା ଦେଇଛନ୍ତି। ଇଶିବାଙ୍କ ଇସ୍ତଫା ପରେ ଜାପାନରେ ରାଜନୈତିକ ଅନିଶ୍ଚିତତା ରହିବ, ଯେପର୍ଯ୍ୟନ୍ତ ଏଲଡିପି ତାଙ୍କ ଉତ୍ତରାଧିକାରୀ ନିର୍ବାଚନ କରିନଥିବ। କାରଣ ଅନେକ ଏଲଡିପି ସାଂସଦ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପିତ କରୁଛନ୍ତି। ଯେ କୌଣସି ସାଂସଦଙ୍କୁ ପ୍ରାର୍ଥୀ ହେବା ପାଇଁ ଅନ୍ୟ ୨୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେବ।

ପାର୍ଟି ନେତା ବଛାଯିବା ପରେ ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂସଦୀୟ ଭୋଟ୍ ହାସଲ କରିବାକୁ ପଡ଼ିବ। ଯେହେତୁ ଏଲଡିପିର ନେତୃତ୍ୱଧୀନ ମେଣ୍ଟ ବହୁମତ ହରାଇଛି, ତଥାପି ନିମ୍ନ ସଦନରେ ଏହାର ସିଟ୍‌ ସଂଖ୍ୟା ସବୁଠୁ ଅଧିକ ରହିଛି। ଫଳରେ ଏଲଡିପିର ଆଶାୟୀ ଜିତିବାର ସମ୍ଭାବନା ରହିଛି। ଏଲଡିପିର ଆଗାମୀ ନେତାଙ୍କ ପ୍ରାଥମିକତା ରହିବ ଶାସନରେ ଥିବା ମେଣ୍ଟ ପାଇଁ ସମର୍ଥନ ହାସଲ କରିବା, କାରଣ ଇଶିବା ମଧ୍ୟ ୨୦୨୪ ଅକ୍ଟୋବରରେ ପଦଭାର ସମ୍ଭାଳିଥିବା ବେଳେ ଦଳ ପାଖରେ ବହୁମତ ନଥିଲା। ଏଥିପାଇଁ ୧୯୫୫ରେ ସ୍ଥାପନା ପରେ ଏଲଡିପି ମେଣ୍ଟ ସରକାର ଗଢ଼ିବାକୁ ପଡ଼ିଥିଲା।

ଶାସନରେ ଥିବା ଦଳର ଆଶାୟୀଙ୍କ ମଧ୍ୟରେ ପୂର୍ବତନ ଅନ୍ତରୀଣ ମନ୍ତ୍ରୀ ସାନେ ତାକାଇଚୀ, କୃଷି ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ଏବଂ ପୂର୍ବତନ ଆର୍ଥିକ ସୁରକ୍ଷା ମନ୍ତ୍ରୀ ତାକାୟୁକି କୋବାୟାଶୀ ଅନ୍ୟତମ। ବର୍ତ୍ତମାନ ମୁଖ୍ୟ କ୍ୟାବିନେଟ ସଚିବ ୟୋଶିମାସା ହୟାଶୀ ଏବଂ ଅର୍ଥମନ୍ତ୍ରୀ କାତ୍ସୁନୋବୁ କାଟୋ ମଧ୍ୟ ଇଶିବାଙ୍କ ଉତ୍ତରାଧିକାରୀ ହେବାର ସମ୍ଭାବନା ରଖିଛନ୍ତି।