FeaturedLatestNewsPolitics

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସଂକେତ ଟିଭି): ଉପରାଷ୍ଟ୍ରପତି ନିର୍ବାଚନ ଆଗକୁ ରହିଛି ଏହି ପୃଷ୍ଠଭୂମିରେ ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମଙ୍ଗଳବାର ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଗସ୍ତକୁ ରାଜନୈତିକ ଗୁରୁତ୍ୱ ଦିଆଯାଉଛି। ଗସ୍ତରେ ଥିବାବେଳେ ନବୀନ ଦଳୀୟ ସାଂସଦଙ୍କ ସହିତ ଆଲୋଚନା କରି ନିର୍ବାଚନରେ ଦଳର ଭୂମିକା ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଉଛି।

ନବୀନଙ୍କ ଏହି ଦିଲ୍ଲୀ ଗସ୍ତରେ ତାଙ୍କର ସ୍ୱାସ୍ଥ୍ୟ ସଂପର୍କୀୟ ତଥା କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମ ମଧ୍ୟ ରହିଛି। ସୁସ୍ଥ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ଚର୍ଚ୍ଚା ଶୁଣାଯାଉଛି, ଯିଏକି ଅସୁସ୍ଥତା ବେଳେ ତାଙ୍କୁ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଥିଲେ।

ଗତ କାଲି ଭୁବନେଶ୍ୱରରେ ଦଳର ରାଜନୈତିକ ବ୍ୟାପାର କମିଟିର ବୈଠକ ଡକାଯାଇଥିଲା। ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ସହିତ ଅନ୍ୟାନ୍ୟ ଦଳୀୟ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ସଦସ୍ୟମାନଙ୍କ ମତାମତ ଶୁଣିବା ପରେ ନବୀନ କହିଛନ୍ତି ଯେ ଶୀଘ୍ର ନିଷ୍ପତ୍ତି ନିଆଯିବ। କମିଟିର ଜଣେ ସଦସ୍ୟଙ୍କ ମତ, ବିଜେଡିକୁ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନକରି ଓହ୍ଲାଇ ରହିବା ଉଚିତ, ନଚେତ୍ ବିଜେପିକୁ ଡରି ଭୋଟ ଦେଉଛି ବୋଲି ସନ୍ଦେହ ହୋଇପାରେ।

ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ମଧ୍ୟ କଂଗ୍ରେସ ସହିତ ମିଶିଯିବା ଆଭାସ ଦେଇପାରେ, ଯାହା ଦଳ ପାଇଁ ଅନୁକୂଳ ନହୋଇପାରେ। ତେଣୁ, ଉଭୟ ପକ୍ଷକୁ ଭୋଟ ନଦେଇ ଓହ୍ଲାଇ ରହିବା ଏକ ସୁରକ୍ଷିତ ବିକଳ୍ପ ଭାବରେ ଚିନ୍ତା କରାଯାଉଛି। ନିର୍ବାଚନ ଶେଷ ଯାଏଁ ନବୀନ ଦିଲ୍ଲୀରେ ରହି ପରିସ୍ଥିତି ଉପରେ ନଜର ରଖିବେ ବୋଲି ଆଶା କରାଯାଉଛି।

ଅନ୍ୟ ପକ୍ଷରେ, ଓଡ଼ିଶା କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ନବୀନଙ୍କ ପାଇଁ ଇତିହାସ ସୃଷ୍ଟି କରିବାର ସମୟ ଆସିଛି। ସେ ଆଶା ପ୍ରକାଶ କରିଛନ୍ତି ଯେ ନବୀନ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରି ଓଡ଼ିଶାର ହିତରେ ଏକ ସ୍ପଷ୍ଟ ନିଷ୍ପତ୍ତି ନେବେ। ଏଥିସହ ନବୀନଙ୍କ ଦିଲ୍ଲୀ ଗସ୍ତକୁ କଂଗ୍ରେସ ପକ୍ଷ ଆଗ୍ରହର ସହିତ ଦେଖୁନାହାନ୍ତି ବୋଲି ମଧ୍ୟ ଜଣାପଡିଛି।

ନବୀନଙ୍କ ଦିଲ୍ଲୀ ରହଣି କାଳରେ ହୋଇଥିବା ଏକ ଉଲ୍ଲେଖନୀୟ ଘଟଣା ହେଲା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ନବୀନଙ୍କ ପୂର୍ବରୁ ଦିଲ୍ଲୀ ଯାଇଥିବା। ତାଙ୍କ ଦିଲ୍ଲୀ ଗସ୍ତର ଉଦ୍ଦେଶ୍ୟ ସଂପର୍କରେ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ ବ୍ୟାଖ୍ୟା ଦିଆଯାଇନାହିଁ, ଯାହା ରାଜନୈତିକ ମହଲରେ କୁତୂହଳ ସୃଷ୍ଟି କରିଛି।

ଆଜି ନବୀନ ପଟ୍ଟନାୟକ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ “ଭ୍ରମଣ: ପ୍ରାଚୀନ ସାମୁଦ୍ରିକ ସିଲ୍କ ରୁଟ୍” ଶୀର୍ଷକ ଏକ କଳା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।