ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ: ଟ୍ରମ୍ପ ଓ ମୋଦିଙ୍କ ପକ୍ଷରୁ ସକାରାତ୍ମକ ସଂକେତ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ ଓ ଆମେରିକାର ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୁଧୁରିବାର ଆଶା ଉଜ୍ଜଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାରେ ଏକ ସକାରାତ୍ମକ ସଙ୍କେତ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବାଣିଜ୍ୟିକ ପ୍ରତିବନ୍ଧକ’ ଦୂର କରିବା ପାଇଁ ଅନୁରୋଧର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଗାଯୋଗ କରିଛନ୍ତି । ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ । ମୁଁ ନିଶ୍ଚିତ ଯେ, ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଆମ ଟିମ୍ ଏହି ଆଲୋଚନାକୁ ଯଥାଶୀଘ୍ର କରିବାକୁ କାର୍ଯ୍ୟ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି ।”
ଏହାର ଅଳ୍ପ ସମୟ ପୂର୍ବେ, ମଙ୍ଗଳବାରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ‘X’ ହ୍ୟାଣ୍ଡଲ୍ ରେ ଏକ ପୋଷ୍ଟ କରି କହିଥିଲେ, “ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଭାରତ ଏବଂ ଆମେରିକା, ଦୁଇ ରାଷ୍ଟ୍ର ବାଣିଜ୍ୟ ପ୍ରତିବନ୍ଧକର ସମାଧାନ ପାଇଁ ଆଲୋଚନା ଜାରି ରଖିଛନ୍ତି । ମୁଁ ଆଗାମୀ ସପ୍ତାହରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବାକୁ ଅପେଋକ୍ଷା କରିଛି । ମୁଁ ନିଶ୍ଚିତ ଯେ, ଉଭୟ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ!”
ପରବର୍ତ୍ତୀ ସମୟରେ, ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରତିକ୍ରିୟାକୁ ସେୟାର ମଧ୍ୟ କରିଛନ୍ତି । ଶୁଳ୍କ ବୃଦ୍ଧି ଏବଂ ଋଷୀୟ ତୈଳ କ୍ରୟକୁ ନେଇ ଦୁଇ ଦେଶର ମଧ୍ୟରେ ଉତ୍ତେଜନା ଚାଲିଥିବା ଅବସ୍ଥାରେ ଟ୍ରମ୍ପଙ୍କ ମନ୍ତବ୍ୟ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ବହନ କରୁଛି । ଉଲ୍ଲେଖ୍ୟ, ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଦ୍ୱିଗୁଣିତ କରି ୫୦ ପ୍ରତିଶତ କରିବା ସହିତ ଭାରତ ଦ୍ୱାରା ରୁଷୀୟ ଅଶୋଧିତ ତୈଳ କ୍ରୟ ପାଇଁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଆରୋପ କରିଥିଲେ ।