ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା ଦେଶଦ୍ରୋହ ସହ ସମାନ : ସଞ୍ଜୟ ରାଉତ
ମୁମ୍ବାଇ (ସଂକେତ ଟିଭି): ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବିରୋଧର ପରିବେଶ ସୃଷ୍ଟି ହୋଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମଧ୍ୟ ସରକାର କାହିଁକି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅନୁମତି ଦେଉଛନ୍ତି, ତାହା ନେଇ ବିବାଦ ଆରମ୍ଭ ହୋଇଛି। ପୂର୍ବରୁ ଦେଶର ଜନତା #ବଏକଟ୍ବିସିସିଆଇ ଟ୍ରେଣ୍ଡ ଚଲାଇଥିବା ବେଳେ ଏବେ ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି।
୧୪ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ ମ୍ୟାଚ୍ ପୂର୍ବରୁ ସଞ୍ଜୟ ରାଉତ କହିଛନ୍ତି ଯେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା ଦେଶଦ୍ରୋହ ସହ ସମାନ। ସେ କହିଛନ୍ତି, “ଦେଖନ୍ତୁ, କଥା ହେଉଛି ଏବେ ବି ଅପରେସନ ସିନ୍ଦୂର ଚାଲିଛି। ପହଲଗାମରେ ଆମର ୨୬ ମା’ ଏବଂ ଭଉଣୀଙ୍କ ସିନ୍ଦୂର ପୋଛିଦିଆଗଲା। ସେମାନଙ୍କର ଯନ୍ତ୍ରଣା, କ୍ରୋଧ ଏବଂ ଦୁଃଖ ଏପର୍ଯ୍ୟନ୍ତ କମ ହୋଇନାହିଁ। ଆଜି ବି ସେମାନେ ନିଜ ସ୍ଵାମୀ-ପିଲାଙ୍କୁ ହରାଇବାର ଦୁଃଖରୁ ବାହାରିପାରିନାହାନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା କଥା କହୁଛନ୍ତି, ଏହା ନିର୍ଲଜ୍ଜତା।”
ରାଉତ ବିଜେପି, ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ ଏବଂ ବଜରଙ୍ଗ ଦଳଙ୍କୁ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, “ଏହି ପ୍ରସଙ୍ଗକୁ ନେଇ ସେମାନଙ୍କର କୌଣସି ଭୂମିକା ଅଛି କି ନାହିଁ? ସରକାର କହିଥିଲେ ଯେ ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହେବ ନାହିଁ, ତେବେ ରକ୍ତ ଏବଂ କ୍ରିକେଟ୍ର ମେଳ କିପରି ହେବ?”
ସେ ଆଗ୍ରୁ କହିଛନ୍ତି ଯେ ଶିବସେନା (ୟୁବିଟି) ସହିତ ଜଡିତ ଲୋକମାନେ ଏହି ମ୍ୟାଚ୍ ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇବେ। ଏଥିପାଇଁ ସାରା ଦେଶରେ ‘ସିନ୍ଦୂର ରକ୍ଷା ଅଭିଯାନ’ ଚାଲିବ ବୋଲି ସେ ଘୋଷଣା କରିଛନ୍ତି।
