ଭାରତର ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକ୍ରିଷ୍ଣନ
ନୂଆଦିଲ୍ଲୀ (ସଂକେତ ଟିଭି): ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲା।
ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିପକ୍ଷ ଦଳର ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳମାନେ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅନେକ ଗଣମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଉଲ୍ଲେଖ୍ୟ, ଗତକାଲି ଶୁକ୍ରବାର ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀ ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ପଦପାଇଁ ନିର୍ବାଚିତ ହେବା ପରେ ସେହି ପଦବୀରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।
ମଙ୍ଗଳବାର ନୂତନ ସଂସଦ ଭବନରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନ ବିଜୟୀ ହୋଇଥିଲେ। ସେ NDA ପ୍ରାର୍ଥୀ ଭାବରେ ମୋଟ ୪୫୨ ଖଣ୍ଡ ଭୋଟ ପାଇଥିବା ବେଳେ ବିପକ୍ଷ ମହାଗଠବନ୍ଧନର ପ୍ରାର୍ଥୀ ଏବଂ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଶ୍ରୀ ବି ସୁଦର୍ଶନ ରେଡ୍ଡୀ ୨୮୩ ଭୋଟ ପାଇଥିଲେ। ଭୋଟିଂ ପ୍ରକ୍ରିୟା ସକାଳ ୧୦ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ତାହାପରେ ଭୋଟ ଗଣନା ସମାପ୍ତ ହୋଇଥିଲା।