FeaturedLatestNews

ଲା ନିନା ପ୍ରଭାବରେ ଅକ୍ଟୋବରରେ ଓଡ଼ିଶାରେ ବଡ଼ ବାତ୍ୟା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ସକ୍ରିୟ ହେବାର ଆଶଙ୍କା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଚେତାବନୀ ସୃଷ୍ଟି କରିଛି। ଏସିଆ-ପ୍ରଶାନ୍ତ ଜଳବାୟୁ କେନ୍ଦ୍ର (ଏପିସିସି)ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବରରୁ ଲା ନିନା ଆରମ୍ଭ ହେବାର ୫୦-୬୦%ରୁ ଅଧିକ ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଗଭୀର ନିମ୍ନଚାପ ସୃଷ୍ଟି ହୋଇ ଓଡ଼ିଶା ଉପକୂଳକୁ ବାତ୍ୟା ଆସିବାର ଆଶଙ୍କା ବଢ଼ିଛି।

ଲା ନିନା ଏକ ଜଳବାୟୁ ଘଟଣା, ଯେଉଁଥିରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣଠାରୁ କମ ହୋଇଯାଏ। ଏହା ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଚକ୍ରବାତ୍ୟଗୁଡ଼ିକୁ ଅଧିକ ତୀବ୍ର କରିଥାଏ। ଭାରତୀୟ ମୌସୁମୀ ବିଭାଗ (ଆଇଏମ୍ଡି) ଅନୁସାରେ, ଲା ନିନା ଏବଂ ନେଗେଟିଭ୍ ଇଣ୍ଡିଆନ୍ ଓସନ୍ ଡାଇପୋଲ୍ (ଆଇଓଡି) ମିଳିତ ଭାବେ ଓଡ଼ିଶାରେ ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରନ୍ତି। ସମୁଦ୍ର ପୃଷ୍ଠର ତାପମାତ୍ରା ଅକ୍ଟୋବର ପର୍ଯ୍ୟନ୍ତ ସାଧାରଣଠାରୁ ଅଧିକ ରହିବାର ଆଶଙ୍କା ମଧ୍ୟ ରହିଛି, ଯାହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ଅଟେ।

ଇତିହାସ ସାକ୍ଷୀ, ଲା ନିନା ଥିବା ବର୍ଷଗୁଡ଼ିକରେ ଓଡ଼ିଶା ଗୁରୁତର ବାତ୍ୟାର ଶିକାର ହୋଇଛି। ୧୯୯୯ ମସିହାରେ ଲା ନିନା ପ୍ରଭାବରେ ଓଡ଼ିଶା ଦୁଇଟି ଭୟଙ୍କର ବାତ୍ୟା ମୁହାଁଇଥିଲା, ଯାହାଦ୍ୱାରା ସୁପର୍ ସାଇକ୍ଲୋନ୍ ସହିତ ୧୦,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୩ରୁ ୨୦୧୯ ମଧ୍ୟରେ ଫନୀ ଭଳି ଚକ୍ରବାତ୍ୟ ମଧ୍ୟ ଲା ନିନା ସମୟରେ ରାଜ୍ୟକୁ ଧ୍ୱଂସ କରିଥିଲା। ୧୯୯୩ରୁ ୨୦୧୦ ମଧ୍ୟରେ ଲା ନିନା ସମୟରେ ସୃଷ୍ଟି ହୋଇଥିବା ୨୦ଟି ଚକ୍ରବାତ୍ୟରେ ୧୦ଟି ଅତ୍ୟନ୍ତ ପ୍ରଳୟଙ୍କରୀ ଥିଲା।

ବର୍ତ୍ତମାନ ମଧ୍ୟ ରାଜ୍ୟ ଲଘୁଚାପର ପ୍ରଭାବ ଅଧୀନରେ ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସକ୍ରିୟ ଲଘୁଚାପ କ୍ଷେତ୍ର ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡ଼ିଶା ଓ ତତସଂଲଗ୍ନ ଅଞ୍ଚଳ ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ଏବଂ ୧୭ ସେପ୍ଟେମ୍ବର ଯାଏଁ ବର୍ଷା ଲାଗିରହିବ।