FeaturedLatestNews

ସୁଭଦ୍ରାରେ ବାଦ୍ ପଡ଼ିଥିବା ଲୋକଙ୍କ ପାଇଁ ଖୋଲାଗଲା ଅଭିଯୋଗ ପୋର୍ଟାଲ

ଭୁବନେଶ୍ୱର (ସଂକେତ ଟିଭି): ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ଏବଂ ସମାଧାନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ପୋର୍ଟାଲ ଖୋଲାଯାଇଛି । ଏହି ପୋର୍ଟାଲ ମାଧ୍ୟମରେ ବାଦ୍ ପଡ଼ିଥିବା ହିତାଧିକାରୀମାନେ ନିଜର ଅଭିଯୋଗ ଦାଖଲ କରି ପୁନର୍ବାର ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ । ପୋର୍ଟାଲ ମାଧ୍ୟମରେ ଅଭିଯୋଗ କଲେ ଦ୍ରୁତ ଗତିରେ ସେଗୁଡ଼ିକର ସମାଧାନ କରାଯିବା ସମ୍ଭବ ହେବ ବୋଲି ଆଶା କରାଯାଉଛି ।

ସୁଭଦ୍ରା ଯୋଜନାରେ ବର୍ତ୍ତମାନ ୧ କୋଟି ୯ ଲକ୍ଷ ହିତାଧିକାରୀ ଅଛନ୍ତି, ମାତ୍ର ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେମାନଙ୍କ ଅଭିଯୋଗର ଦ୍ରୁତ ସମାଧାନ ଏବଂ ପୁନର୍ଧାରଣା ଏହି ପୋର୍ଟାଲର ମୁଖ୍ୟ ଲକ୍ଷ୍ୟ । ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ବାର୍ଷିକୀ ପାଳିତ ହେବାବେଳେ ଅକ୍ଟୋବର ୧୫ ଯାଏଁ ଚାଲିଥିବା ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମରେ ରାଜ୍ୟର ୩୪୮ ଟି ସୁଭଦ୍ରା CDPO ୟୁନିଟ୍ ଏବଂ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନୂତନ ଅଭିଯୋଗ ପୋର୍ଟାଲଟି ଏକ ମଡ୍ୟୁଲ୍ ଭାବରେ କାମ କରିବ, ଯାହା ମାଧ୍ୟମରେ ହିତାଧିକାରୀମାନେ ସିଧାସଳଖ ବିଭାଗ ସହିତ ଯୋଗାଯୋଗ କରିପାରିବେ । ଏଥିରେ ଦାଖଲ କରାଯାଇଥିବା ପ୍ରତ୍ୟେକ ଅଭିଯୋଗର ଏକ ନିର୍ଦ୍ଦିଷ୍ଟ ଉତ୍ତର ବିଭାଗ ଦେବ ବୋଲି ଜଣାଯାଇଛି । ପୂର୍ବେ ଲୋକେ ଅନେକ ଅଭିଯୋଗ କରିଥିଲେ ମଧ୍ୟ ଉତ୍ତର ପାଇପାରୁନଥିଲେ, ମାତ୍ର ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କଦ୍ୱାରା ପ୍ରତ୍ୟେକ ଅଭିଯୋଗର ଉତ୍ତର ରେକର୍ଡ୍ କରାଯିବ ।

ଅଭିଯୋଗଗୁଡ଼ିକ ପ୍ରଥମେ ବ୍ଲକ୍ ସ୍ତରୀୟ କମିଟି ଯାଞ୍ଚ କରିବେ । ତା’ପରେ ସେଗୁଡିକ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ ଏବଂ ଜିଲ୍ଲା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଅଭିଯୋଗର ସମସ୍ତ ଷ୍ଟାଟସ୍ ଏବଂ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ । ହିତାଧିକାରୀମାନେ ଜାଣିପାରିବେ ଯେ ସେମାନେ କାହିଁକି ବାଦ୍ ପଡ଼ିଲେ, କ’ଣ କାରଣ ଥିଲା ଏବଂ ଭବିଷ୍ୟତରେ ସାମିଲ ହେବା ପାଇଁ କ’ଣ କରିବା ଆବଶ୍ୟକ । ଏହି ପୋର୍ଟାଲ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଅସୁବିଧାର ସ୍ଥାୟୀ ସମାଧାନର ରାସ୍ତା ସୁଗମ କରିବ ବୋଲି ଆଶା କରାଯାଉଛି ।