CrimeLatestNews

ଇନ୍ସୁରାନ୍ସ ଟଙ୍କା ଲୋଭରେ ମହିଳା କନେଷ୍ଟବଳଙ୍କୁ ହତ୍ୟା କରିଛି ପ୍ରେମିକ କନେଷ୍ଟବଳ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର ରାଜଧାନୀ ପୋଲିସ କମିସନରେଟର ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ନିଖୋଜ ମାମଲାରେ ଏକ ବଡ଼ ସୁରାକ ମିଳିଛି । ହତ୍ୟା ସନ୍ଦେହରେ ତାଙ୍କ ପ୍ରେମିକ ଓ ସ୍ୱାମୀ ଦୀପକ ରାଉତ, ଯିଏକି ଜଣେ ପୋଲିସ କନେଷ୍ଟବଳ, ତାଙ୍କୁ ଅଟକରେ ରଖି ପଚରାଉଚରା କରୁଛନ୍ତି । ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଭଲ ପାଉଥିବା ଏହି କନେଷ୍ଟବଳଙ୍କୁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଗତ ୬ ସେପ୍ଟେମ୍ବର ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା । ଦୁଇ ଦିନ ଧରି ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳ ଦୀପକଙ୍କ ବାବଦରେ ଜାଣିବାକୁ ପାଇଥିଲା ।

ତଦନ୍ତରୁ ଜଣାପଡ଼ିଛି ଯେ, ଦୀପକଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦୁର୍ଘଟଣା ବୋଲି ଦାବି କରି ୧ କୋଟି ଟଙ୍କାର ଇନ୍ସୁରାନ୍ସ ପାଇଥିଲେ । ଏହାପରେ ସେ ଶୁଭମିତ୍ରାଙ୍କୁ ୨୦୨୪ ଜୁଲାଇ ୨୫ରେ ବିବାହ କରିଥିଲେ ଓ ସମାନ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିଥିଲେ ବୋଲି ସନ୍ଦେହ କରାଯାଉଛି ।

ଦୀପକଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ସେ ସ୍ୱୀକାର କରିଛନ୍ତି ଯେ ତାଙ୍କୁ ଭୁବନେଶ୍ୱରରେ ଗାଡ଼ି ଭିତରେ ଗଳାଟିପି ହତ୍ୟା କରି ଦୁଇ ସହଯୋଗୀଙ୍କ ସାହାଯ୍ୟରେ କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ କୁସୁନପୁର ଜଙ୍ଗଲରେ ପୋତିଥିଲେ । ଏହି ସୂଚନାକୁ ଆଧାର କରି କମିସନରେଟ ପୁଲିସ କେନ୍ଦୁଝର ପୁଲିସ ସହାୟତାରେ ଖୋଳତାଡ କରିଥିଲା ।

ଶେଷରେ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଅଖା ଭିତରେ ବନ୍ଧା ଅବସ୍ଥାରେ ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀପକ ରାଉତ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।