FeaturedLatestNews

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଝାରସୁଗୁଡା ଗସ୍ତ, ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା

ଝାରସୁଗୁଡା (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୭ ସେପ୍ଟେମ୍ବର ଝାରସୁଗୁଡା ଗସ୍ତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥଳୀୟ ପ୍ରସ୍ତୁତି ତଥା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଝାରସୁଗୁଡା ଗସ୍ତ କରିଛନ୍ତି। ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି।

ଏହାପରେ ମୁଖ୍ୟମନ୍ତ୍ରୀ ପଣ୍ଡ୍ରିପଥରସ୍ଥିତ ବିଜେପି ପାର୍ଟି ଅଫିସ୍କୁ ଯାଇ ଦଳୀୟ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକ ଶେଷରେ ସେ ଅମଲୀପାଲିସ୍ଥିତ ସଭାସ୍ଥଳରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି କୁହାଯାଇଛି।

ଅନ୍ୟ ଏକ ଘଟଣାକ୍ରମରେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ପୂର୍ବାହ୍ନରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଥିଲେ। ବିମାନବନ୍ଦରରୁ ଆରମ୍ଭ କରି ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା, କ୍ୟାମେରା ସ୍ଥାପନ ଏବଂ ଲୋକଙ୍କ ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ ସେ ବିସ୍ତୃତ ଭାବରେ ତଥ୍ୟ ନେଇଥିଲେ। ଏହି ସମୀକ୍ଷା ସମୟରେ ଏଡିଜି ଆଇନ ଶୃଙ୍ଖଳା ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଜି.ଆର. ରାଘବେନ୍ଦ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା, ସୋନପୁର ଏସପି ନାରାୟଣ ନାୟକ ଆଦି ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବରରେ ଝାରସୁଗୁଡା ଆସିବେ ଏବଂ ଅମଲୀପାଲିସ୍ଥିତ ଏକ ସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ଦେଶବାସୀଙ୍କ ପାଇଁ ଅନେକ ପ୍ରକଳ୍ପର ଲୋକାର୍ପଣ, ଉଦ୍ଘାଟନ ଓ ଶିଳାନ୍ୟାସ କରିବେ, ଯାହାକି ଓଡିଶାବାସୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି କୁହାଯାଇଛି।