ଲଞ୍ଚ ହେଲା ‘ଆମ ସାଥୀ ୱାଟ୍ସଆପ୍’ ସେବା, ହାତପାଆନ୍ତାରେ ମିଳିବ ୧୩୨ ସରକାରୀ ସେବା
ଭୁବନେଶ୍ୱର (ସଂକେତ ଟିଭି): ସରକାରୀ କାଚେରି ଯିବାକୁ ନପଡି ହାତପାଆନ୍ତାରେ ହିଁ ବିଭିନ୍ନ ସରକାରୀ ସେବା ପାଇବାର ସୁଯୋଗ ସୃଷ୍ଟି ହେଲାଣି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ‘ଆମ ସାଥୀ ୟୁନି ଫାଏଡ ୱାଟ୍ସଆପ୍’ ନାମରେ ଏକ ନୂତନ ସେବା ଆରମ୍ଭ କରାଯାଇଛି। ୯୪୩୭୨୯୨୦୦୦ ହ୍ବାଟ୍ସଆପ୍ ନମ୍ବରରେ ସଂପର୍କ କରି ନାଗରିକମାନେ ଏଥିରେ ୧୩୨ ପ୍ରକାରର ସରକାରୀ ସୁବିଧା ପାଇପାରିବେ।
ଏହି ସେବା ମାଧ୍ୟମରେ ଆୟ ପ୍ରମାଣପତ୍ର, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତିକ ବିବାହରେ ଲାଭ ଏବଂ ଆର୍ଟିଓ ସମ୍ବନ୍ଧୀୟ ସେବା ଭଳି ମୂଳଭୂତ କାମଗୁଡିକ ଘରେ ବସିଇ କରାଯାଇପାରିବ। ଏଥିପାଇଁ କେବଳ ଗୋଟିଏ କ୍ଲିକ୍ ଆବଶ୍ୟକ ହେବ।
ଏହି ନୂଆ ପଦ୍ଧତି ଜରିଆରେ ନାଗରିକଙ୍କୁ ସେବା ପ୍ରଦାନ କରିବା ସହିତ ସମୟ ଓ ଅର୍ଥର ବଚତ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଜାଣାଇଛନ୍ତି। ଏହି ପଦକ୍ଷେପ ନାଗରିକଙ୍କ ପାଇଁ ସରକାରୀ ସେବା ପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ସୁଗମ କରିବ ବୋଲି ଆଶା କରାଯାଉଛି।