FeaturedLatestNews

ଡ୍ରଗ୍ସ ଫ୍ରି ଭୁବନେଶ୍ୱର ଅଭିଯାନର ଶୀଘ୍ର ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ବର ( ସଂକେତ୍ ଟିଭି) : ରାଜ୍ୟକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି । ଏହି ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଆୟୋଜିତ “ଡ୍ରଗ୍ସ ଫ୍ରି ଭୁବନେଶ୍ୱର” ସଚେତନତା ଏବଂ ପ୍ରବର୍ତ୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଶୀଘ୍ର ଆରମ୍ଭ ହେବ । ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଅଭିଯାନର ବିବରଣୀ ଆଜି ଦର୍ଶାଇଛନ୍ତି ।

ଆସନ୍ତା ୨ ଅକ୍ଟୋବରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଏକମାସୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମନ୍ତ୍ରୀ କହିଛନ୍ତି ଯେ “ଆମ ସଂକଳ୍ପ ନିଶା ନୁହେଁ, ଜୀବନ” – ଏହି ଧାଡ଼ିରେ ନିଶା ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବ । ମଦ୍ୟପାନ କରି ଗାଡ଼ି ଚଳାଇବା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିଶାମୁକ୍ତ ଗାଁ ଗଠନ ଉପରେ ଏଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ୨ ଅକ୍ଟୋବର (ଗାନ୍ଧୀ ଜୟନ୍ତୀ) ଦିନ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଡକାଯିବ, ଯେଉଁଥିରେ ନିଶାମୁକ୍ତ ଗ୍ରାମ ଗଠନ ଉପରେ ଆଲୋଚନା ହେବ । ନିଶାମୁକ୍ତ ଗ୍ରାମ ଗଠନରେ ସଫଳ ହୋଇଥିବା ଗ୍ରାମପଞ୍ଚାୟତଗୁଡ଼ିକୁ ସ୍ଥାନିତ କରାଯିବ ଏବଂ ଶ୍ରେଷ୍ଠ ତିନିଟିକୁ ପୁରସ୍କୃତ କରାଯିବ ।

ଏହି ଅଭିଯାନ ସଫଳ କରିବା ପାଇଁ ବିଭିନ୍ନ ବିଭାଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ । ବାଣିଜ୍ୟ ଓ ପରିବହନ, ସ୍କୁଲ ଓ ଗଣଶିକ୍ଷା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଏସଏସ ଓ ଇପିଡି, କ୍ରୀଡ଼ା ଓ ଯୁବସେବା ବିଭାଗ ଅବକାରୀ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିବେ । ସ୍ୱାସ୍ଥ୍ୟ ବିଭାଗ ଏକ ମାସ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର ଓ କର୍ମଶାଳା ଆୟୋଜନ କରିବ ।

ଯୁବପିଢ଼ିଙ୍କୁ ଏହି ଅଭିଯାନ ସହିତ ଜୋଡ଼ିବା ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ପ୍ରବନ୍ଧ ଏବଂ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯିବ । ଏହାସହ ଏସଏସଇପିଡି ବିଭାଗ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଚଳାଇବ