ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ଓ ଆକ୍ବା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ
ଭୁବନେଶ୍ୱର (ସଂକେତ ଟିଭି): ଓଡିଶାର ମତ୍ସ୍ୟ ଚାଷୀ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଦିନ ଭାବରେ ଚିହ୍ନିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରଠାରେ ଅବସ୍ଥିତ କୃଷି ଶିକ୍ଷା ସଦନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉଦ୍ଘାଟନ କରିଛନ୍ତି ଏବଂ ରାଜ୍ୟରେ ଦୁଇଟି ବୃହତ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ତାଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଐତିହାସିକ ଦିନ।
ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଦୁଇଟି ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ ଏବଂ ‘ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳ ମିଶନ୍’ର ଶୁଭାରମ୍ଭ କରିଛନ୍ତି। ଏହି ଦୁଇ ଯୋଜନା ପାଇଁ କେନ୍ଦ୍ର ସରକାର ୩୫,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରିବେ ଏବଂ ଦେଶର ୧୦୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରଠାରୁ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ଗତ ୧୧ ବର୍ଷରେ କୃଷି ଉତ୍ପାଦନ ଦୁଇଗୁଣ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟର ୬୦% ଲୋକ କୃଷି ଉପରେ ନିର୍ଭରଶୀଳ। ଧନ ଧାନ୍ୟ କୃଷି ଯୋଜନା ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବାରେ ସହାୟକ ହେବ। ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ଅଧୀନରେ କୃଷି ଉତ୍ପାଦନ ବୃଦ୍ଧି, ଜଳସେଚନ, ଫାର୍ମ ମେକାନାଇଜେସନ୍, ଷ୍ଟୋରେଜ୍, ବଜାର ସହାୟତା ଆଦି ଚାଷୀଙ୍କୁ ଯୋଗାଇ ଦିଆଯିବ। ଆସନ୍ତା ୬ ବର୍ଷ ମଧ୍ୟରେ ଏଥିପାଇଁ ୧ ଲକ୍ଷ ୪୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ପ୍ରାୟ ୧ କୋଟି ୭୦ ଲକ୍ଷ କୃଷକ ଉପକୃତ ହେବେ।
ପ୍ରଧାନମନ୍ତ୍ରୀ ସମ୍ବଲପୁରର ବସନ୍ତପୁରଠାରେ ୧୦୦ କୋଟି ଟଙ୍କା ମୂଲ୍ୟର ଏକ ସମନ୍ୱିତ ଆକ୍ବା ପାର୍କ ଏବଂ ଭୁବନେଶ୍ୱରର ୧୮ ନମ୍ବର ୱାର୍ଡ଼ ପାଣ୍ଡରାଠାରେ ୬୦ କୋଟି ଟଙ୍କାର ଏକ ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମାଛ ମାର୍କେଟ୍ ସିଧାସଳଖ ଭାବରେ ୧୪୩ ଜଣ ବ୍ୟବସାୟୀଙ୍କୁ ଉପକୃତ କରିବ ଏବଂ ୨,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ସୃଷ୍ଟି କରିବ। ଭୁବନେଶ୍ୱର ମେୟର ଏହି ପ୍ରକଳ୍ପକୁ ଓଡିଶାକୁ ଏକ ମାଛଚାଷ ହବ୍ ଭାବରେ ଗଢିବାର ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଖ୍ୟା ଦେଇଛନ୍ତି।
