BusinessFeaturedGeneralLatest

ଚୀନ ଆମଦାନୀ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଘୋଷଣା କଲେ ଟ୍ରମ୍ପ

ଓ୍ବାସିଂଟନ (ସଂକେତ ଟିଭି): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ବିରୋଧରେ ଆଉ ଥରେ କଠୋର ଭାଷା ଓ ନୀତି ଗ୍ରହଣ କରିଛନ୍ତି। ନଭେମ୍ବର ୧ ତାରିଖ, ୨୦୨୫ ରୁ ସମସ୍ତ ପ୍ରକାରର ଚୀନୀ ଆମଦାନୀ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଆରୋପ କରିବେ ବୋଲି ସେ ଘୋଷଣା କରିଛନ୍ତି। ଏହା ସହିତ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ସମ୍ପର୍କିତ ରପ୍ତାନି ଉପରେ ମଧ୍ୟ ନିୟନ୍ତ୍ରଣ ଆରୋପିତ ହେବ।

ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟିକ ଓ ଭୂରାଜନୈତିକ ଉତ୍ତେଜନା ବଢ଼ିଥିବା ପରିପ୍ରେକ୍ଷୀରେ ଏହି କଠୋର ପଦକ୍ଷେପ ନିଆଯାଇଛି। ବିଶ୍ଳେଷକମାନେ ମତ ଦେଇଛନ୍ତି ଯେ ଯଦି ଏହି ନୀତି କାର୍ଯ୍ୟକାରୀ ହୁଏ, ତେବେ ଜାଗତିକ ବଜାର ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବ ଏବଂ ବିଶ୍ୱ ଅର୍ଥନୀତି ମନ୍ଥର ହୋଇପାରେ।

ଟ୍ରମ୍ପ ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ ଦ୍ଵାରା ଚୀନ୍ ବିରୋଧରେ ଏହି ଆର୍ଥିକ କାର୍ଯ୍ୟସୂଚୀ ଜାହିର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, “ଚୀନ୍ ଅସ୍ୱାଭାବିକ ଭାବରେ ଏକ ଆକ୍ରମଣାତ୍ମକ ବାଣିଜ୍ୟିକ ମନୋଭାବ ଧାରଣ କରିଛି ଯାହା ସମସ୍ତ ଦେଶକୁ ପ୍ରଭାବିତ କରୁଛି। ଚୀନ୍ ନିଜର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି ନିୟନ୍ତ୍ରଣ ଆରୋପ କରିବାକୁ ଯୋଜନା କରୁଛି, ଯାହା ଫଳରେ ବିଶ୍ୱ ବଜାରରେ ଅସନ୍ତୁଳନ ସୃଷ୍ଟି ହେଉଛି। ଆମେରିକା ବି ଏବେ ସମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନଭେମ୍ବର ୧ ତାରିଖରୁ ଆମେ ଚୀନ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲଗାଇବୁ।”