ମହିଳାଙ୍କ ଟ୍ୟାକ୍ସି ବ୍ୟବସାୟ ଲାଗି ନୂଆ ଯୋଜନା ଆଣିବେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ନାମକ ଏହି ଯୋଜନାର ଘୋଷଣା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କରିଛନ୍ତି।
ଏହି ଯୋଜନା ଅନୁଯାୟୀ, ଆଗାମୀ ୪ ବର୍ଷରେ ରାଜ୍ୟର ୧୧୦୦ ଜଣ ମହିଳାଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ। ପ୍ରତ୍ୟେକ ମହିଳା ୧୦ ଲକ୍ଷ ଟଙ୍କା ପରିମାଣର ଏହି ଋଣ ନେଇ କାର୍ କିଣି ଟ୍ୟାକ୍ସି ଚଳାଇପାରିବେ। ମହିଳାମାନେ ଏହି ଋଣର କିସ୍ତି ୫ ବର୍ଷରେ ସୁଝିବେ, ଯାହାର ସୁଧ ଭାର ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ବହନ କରିବେ।
ପରିବହନ ମନ୍ତ୍ରୀ ଜେନା କହିଛନ୍ତି ଯେ, ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ରାଜ୍ୟ ସରକାର ଇତିମଧ୍ୟରେ ଅନୁମୋଦନ କରିସାରିଛନ୍ତି। ରାଜ୍ୟର ୪ଟି ଡ୍ରାଇଭିଂ ତାଲିମ ଓ ଗବେଷଣା ପ୍ରତିଷ୍ଠାନରେ ଏଯାଏଁ ୬୨୧୬ ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ସମାପ୍ତ କରିସାରିଛନ୍ତି। ସେହି ସମସ୍ତ ପ୍ରଶିକ୍ଷିତ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
