ଆସନ୍ତା ମାସରୁ ଇ-କେୱାଇସି ନକରିଥିବା ଲୋକଙ୍କ ଚାଉଳ ବନ୍ଦ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ମାସରୁ ଇ-କେୱାଇସି କରାନଥିବା ହିତାଧିକାରୀଙ୍କୁ ଚାଉଳ ଯୋଗାଣ ବନ୍ଦ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଜଣାଇଛନ୍ତି। କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏବେ ଆଉ ସମୟ ନାହିଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି, “ଏବେବି ଇ-କେୱାଇସି କରିନଥିବା ଲୋକଙ୍କ ଚାଉଳ ପଠାଯାଉଛି, କିନ୍ତୁ ଏହାକୁ ଖୁବ୍ ଶୀଘ୍ର ବନ୍ଦ କରିଦିଆଯିବ। ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ।”
ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ସମୟ ସୀମା ବଢାଇବେ, ତେବେ ରାଜ୍ୟ ସରକାର ମଧ୍ୟ ତାହା ବଢାଇବେ ବୋଲି ମନ୍ତ୍ରୀ ଜଣାଇଛନ୍ତି। କିନ୍ତୁ ଯଦି କୌଣସି ହିତାଧିକାରୀ ଏହି ପ୍ରକ୍ରିୟାରେ ବାଦ୍ ପଡିଯାଆନ୍ତି, ତେବେ ସେମାନଙ୍କୁ ଲିଖିତ ଆବେଦନ ଦେବାକୁ ପଡିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ କଥା ବିଚାର କରାଯିବ।
ଜଣାଯାଉ ଯେ, ଭୂତ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଇ-କେୱାଇସି ଯୋଜନା କରାଯାଇଥିଲା, ଯାହାକି ରାସନ କାର୍ଡଧାରୀ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବାଧ୍ୟତାମୂଳକ ଥିଲା। ଯଦିଓ ଧାର୍ଯ୍ୟ ତାରିଖ ବିତିଯାଇଛି, ତଥାପି ଇ-କେୱାଇସି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରି ନାହିଁ।
