FeaturedLatestNews

ଦ୍ରୁତ ସଡ଼କ ନିର୍ମାଣ ପାଇଁ ଦ୍ରୁତ ନିଷ୍ପତ୍ତି ଆବଶ୍ୟକ: ଗଡ଼କରୀ

ଭୁବନେଶ୍ୱର (ସଂକେତ ଟିଭି): ଦେଶରେ ସଡ଼କ ନିର୍ମାଣ କାର୍ଯ୍ୟ ଗତି ଆଣିବା ପାଇଁ ଦ୍ରୁତ ନିଷ୍ପତ୍ତି ଗ୍ରହଣ ଏବଂ ସ୍ୱଚ୍ଛତା ଉପରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଆଜି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଇଣ୍ଡିଆନ ରୋଡ୍ସ କଂଗ୍ରେସର ୮୪ତମ ଅଧିବେଶନରେ ସମ୍ବୋଧନ କରିଥିବା ଗଡ଼କରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି, ମାତ୍ର ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି। ତାଙ୍କ ମତରେ ‘ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା’।

ଗଡ଼କରୀ କହିଛନ୍ତି ଯେ ଅର୍ଥ ଖର୍ଚ୍ଚ କରିବା ପାଇଁ ସକାରାତ୍ମକ ଚିନ୍ତା, ଟ୍ରାନ୍ସପାରେନ୍ସି ଏବଂ ଶୀଘ୍ର ନିଷ୍ପତ୍ତି ଆବଶ୍ୟକ। ଫାଇଲ ବିଳମ୍ବରେ ଆଗକୁ ନ ଯିବା ଯୋଗୁଁ କାମ ହୋଇପାରୁନଥିବା ବିଷୟରେ ସେ ସୂଚନା ଦେଇ କହିଛନ୍ତି, “ଯାହା ବି ନିଷ୍ପତ୍ତି ନିଅନ୍ତୁ, ଶୀଘ୍ର ନିଅନ୍ତୁ। ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ।”

କେନ୍ଦ୍ରମନ୍ତ୍ରୀ ସଡ଼କ ଦୁର୍ଘଟଣା ରୋକଥାନ୍ତୁ ଗୁରୁତ୍ୱ ଦେଇ କହିଛନ୍ତି ଯେ ବର୍ଷକୁ ୧ ଲକ୍ଷ ୮୦ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ସଡ଼କ ସୁରକ୍ଷା ଆଇନ୍ ପ୍ରତି ଲୋକଙ୍କ ଭୟ ନ ଥିବାରୁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ପରିବେଶ ସୁରକ୍ଷା ଦିଗକୁ ମଧ୍ୟ ତାଙ୍କ ଦୃଷ୍ଟି ରହିଛି। ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସରକାରକୁ ପ୍ରୋତ୍ସାହିତ କରିଛନ୍ତି। ଏଥିସହ ପ୍ରସ୍ତାବିତ ଭୁବନେଶ୍ୱର ରିଂ ରୋଡ୍ ନିର୍ମାଣରେ ଆଖପାଖର ଆବର୍ଜନା ବ୍ୟବହାର କରାଯିବ ବୋଲି ସେ ଜଣାଇଛନ୍ତି।

ଗଡ଼କରୀ କହିଛନ୍ତି ଯେ ଭାରତକୁ ବିଶ୍ୱଗୁରୁ ଭାବରେ ଗଠନ କରିବା ହେଉଛି ସେମାନଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଆବଶ୍ୟକ। ତେଲ ଆମଦାନୀକାରୀ ଦେଶ ହିସାବରେ ନ ରହି ଭବିଷ୍ୟତରେ ଭାରତ ତେଲ ରପ୍ତାନୀ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଇଥାନୋଲ, ମେଥାନୋଲ, ବାୟୋ-ସିଏନ୍ଜି, ସିଏନ୍ଜି ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି, ଯାହାକି ଓଡ଼ିଶା ଭଳି ରାଜ୍ୟମାନଙ୍କରେ ଆରମ୍ଭ ହେବ।

ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସହିତ ଦେଶବିଦେଶରୁ ଆସିଥିବା ୩୫୦୦ରୁ ଅଧିକ ଇଞ୍ଜିନିୟର, ବିଶେଷଜ୍ଞ ଓ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଥିଲେ।