FeaturedGeneralLatestPolitics

ଭୋଟ ଚୋରୀ ଅଭିଯୋଗକୁ ଘୋଡାଇବା ପାଇଁ ଆସିଛି ଏସଆଇଆର୍ : ରାହୁଲ ଗାନ୍ଧୀ

ଭୋପାଳ (ସଂକେତ ଟିଭି): କଂଗ୍ରେସ ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ପୁଣି ଥରେ ‘ଭୋଟ ଚୋରି’ ଅଭିଯୋଗ ଉଠାଇଛନ୍ତି । ରବିବାର ଦିନ ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର ପଚମାର୍ହି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ସରକାର ବିରୋଧରେ ଏହି ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ।

ସେଠାରେ ସେ କହିଛନ୍ତି ଯେ ଦେଶରେ ବଡ଼ ଧରଣରେ ଭୋଟ ଚୋରି ହେଉଛି ଏବଂ ପ୍ରାୟ ୨୫ ଲକ୍ଷ ଭୋଟ ଚୋରି ହୋଇସାରିଛି । ତାଙ୍କ ଦାବି ଅନୁସାରେ, ପ୍ରତି ଆଠଟି ଭୋଟରେ ଗୋଟିଏ ଭୋଟରେ ହେରଫେର ହେଉଛି । ଏହି ଭୋଟ ଚୋରିକୁ ଘୋଡାଇବା ପାଇଁ ସ୍ପେଶାଲ ଇନଟେନସିଭ ରିଭିଜନ (SIR) କାର୍ଯ୍ୟ କରୁଥିବା ଆରୋପ ମଧ୍ୟ ସେ କରିଛନ୍ତି ।

ଶ୍ରୀ ଗାନ୍ଧୀ ଦାବି କରିଛନ୍ତି ଯେ ହରିୟାଣା ପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ମଧ୍ୟ ଭୋଟ ଚୋରି ହୋଇଛି । ସେ କହିଛନ୍ତି, “କିଛି ଦିନ ପୂର୍ବେ ମୁଁ ହରିୟାଣା ଉପରେ ଏକ ଉପସ୍ଥାପନା ରଖିଥିଲି ଏବଂ ମୁଁ ସ୍ପଷ୍ଟ ଭାବରେ ଦେଖିଥିଲି ଯେ ଭୋଟ ଚୋରି ହେଉଛି । ପ୍ରତି ୮ଟି ଭୋଟରୁ ଗୋଟିଏ ଚୋରି ହୋଇଛି । ମୁଁ ତାହା ଦେଖିବା ପରେ, ତଥ୍ୟ ଦେଖିବା ପରେ ଏହା ବିଶ୍ୱାସ କରୁଛି ଯେ ମହାରାଷ୍ଟ୍ର ଓ ଛତିଶଗଡ଼ରେ ମଧ୍ୟ ସମାନ ଘଟଣା ଘଟିଛି ଏବଂ ଏହା ବିଜେପି ଓ ନିର୍ବାଚନ କମିଶନର ବ୍ୟବସ୍ଥା ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ଏହାର ଅଧିକ ପ୍ରମାଣ ରହିଛି ଯାହା ଧୀରେ ଧୀରେ ପ୍ରଦାନ କରାଯିବ । କିନ୍ତୁ ତାଙ୍କ ମୁଖ୍ୟ ପ୍ରସଙ୍ଗ ହେଉଛି SIR ଏହାକୁ ଘୋଡାଇବାର ଚେଷ୍ଟା କରୁଥିବା ବିଷୟଟି । ଗଣତନ୍ତ୍ର ଓ ଆମ୍ବେଦକରଙ୍କ ସମ୍ବିଧାନ ଉପରେ ଆକ୍ରମଣ ହେଉଥିବା ଦାୟିତ୍ୱ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଉପରେ ଦେଇଛନ୍ତି ।

ଏହାପୂର୍ବରୁ ବୁଧବାର (୫ ନଭେବର) ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗାନ୍ଧୀ ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ବଡ଼ ଧରଣର ଭୋଟ ଜାଲିଆତି ଅଭିଯୋଗ ଆଣିଥିଲେ । ସେତେବେଳେ ସେ ନିର୍ବାଚନ କମିଶନ ଦ୍ୱାରା ଜାରି କରାଯାଇଥିବା ଭୋଟର ତାଲିକା ଉପରେ ଆଧାର କରି କହିଥିଲେ ଯେ ରାଜ୍ୟରେ ପ୍ରାୟ ୨୫ ଲକ୍ଷ ନକଲି ଭୋଟର ଅଛନ୍ତି ଏବଂ “ଏକ ଦୁର୍ନୀତିଗ୍ରସ୍ତ ଭୋଟର ତାଲିକା ଗଣତନ୍ତ୍ରକୁ ଦୁର୍ବଳ କରେ” ।