ଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ: ୮ ମୃତ, ୨୪ ଆହତ
ନୂଆଦିଲ୍ଲୀ (ସଂକେତ ଟିଭି): ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟସ୍ଥ ଗେଟ ନମ୍ବର ୧ ପାର୍କିଂ ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏକ କାର୍ରେ ଘଟିଥିବା ଏହି ବିସ୍ଫୋରଣରେ ଏଯାଏଁ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା, ଯାହାଦ୍ୱାରା ପାର୍କିଂରେ ଛିଡ଼ା ହୋଇଥିବା ଅନ୍ୟ ତିନିରୁ ଚାରିଟି ଗାଡ଼ି ମଧ୍ୟ ଜଳିଯାଇଛି। ଘଟଣା ସ୍ଥଳରେ ତୁରନ୍ତ ପାଞ୍ଚରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ଅଗ୍ନିଶମ କାର୍ଯ୍ୟରେ ଲାଗି ପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ, ନିକଟବର୍ତ୍ତୀ ଘର ଓ ଦୋକାନମାନଙ୍କର ଝରକା ଭାଙ୍ଗିଯାଇଥିଲା ଏବଂ ଲୋକମାନେ ଭୟଭୀତ ହୋଇ ଚାରିଆଡ଼େ ଦୌଡ଼ିବା ଆରମ୍ଭ କରିଦେଇଥିଲେ।
ଲାଲକିଲ୍ଲା ଓ ଚାନ୍ଦନୀ ଚୌକ ପରି ଏକ ଜନବହୁଳ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବାରୁ ସର୍ବତ୍ର ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଘଟଣା ପରେ ଦିଲ୍ଲୀ ପୋଲିସ୍ ଘଟଣାସ୍ଥଳକୁ ସିଲ୍ କରି ଦେଇଛି ଏବଂ ତଦନ୍ତ ଆରମ୍ଭ କରିଛି। ଏନଆଇଏ ଓ ଏନଏସଜିର ଟିମ୍ମାନେ ମଧ୍ୟ ଘଟଣା ସ୍ଥଳକୁ ଯାଇଛନ୍ତି। ବିସ୍ଫୋରଣର କାରଣ ଜାଣିବା ପାଇଁ ଫୋରେନ୍ସିକ୍ ଦଳ ମଧ୍ୟ ସ୍ଥଳୀରେ ଉପସ୍ଥିତ ରହିଛି। ସୁରକ୍ଷା କାରଣରୁ ଅଞ୍ଚଳର ବିଭିନ୍ନ ସ୍ଥାନକୁ ବନ୍ଦ କରାଯାଇଛି ଏବଂ ମୁମ୍ବାଇ ସହିତ ଅନ୍ୟାନ୍ୟ ସହରରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।
