FeaturedLatestNews

ନୂଆପଡା ଉପନିର୍ବାଚନକୁ ନେଇ ଚୂଡାନ୍ତ ପ୍ରସ୍ତୁତି: ବିଜେଡିର ଅଭିଯୋଗ ଭିତ୍ତିହୀନ କହିଲେ ସିଇଓ

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତାକାଲି ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପାଇଁ ସମସ୍ତ ଚୂଡାନ୍ତ ପ୍ରସ୍ତୁତି ସରିଛି । ରବିବାରରୁ ପ୍ରଚାର ମୈଦାନ ଶାନ୍ତ ପଡିଥିବା ବେଳେ ମଙ୍ଗଳବାର ଭୋଟିଂ ହେବା ନିଉତେ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ନିର୍ବାଚନ ଅଧିକାରୀମାନେ ନିଜ ନିଜ ବୁଥକୁ ବାହାରି ସାରିଛନ୍ତି ।

ନୂଆପଡ଼ାର ୮ଟି ସମ୍ବେଦନଶୀଳ ବୁଥକୁ ନିର୍ବାଚନ ଅଧିକାରୀଙ୍କୁ ନେବା ଆଣିବା ପାଇଁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର ହେଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଳନ ଏହା ସୂଚନା ଦେଇଛନ୍ତି ।

ସିଇଓ ଗୋପାଳନ ଏକ ରାଜନୈତିକ ଦଳ ଦ୍ୱାରା ନୂଆପଡା ଜିଲ୍ଲାପାଳ ବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାରୁ ଏକ ଇଭିଏମ୍ ଭର୍ତ୍ତି ଟ୍ରକ ଆଣି ଲୁଚାଇ ଦେଇଥିଲେ ଏବଂ ନିର୍ବାଚନ ପରେ ଏହାକୁ ଭୋଟ ଭର୍ତ୍ତି ଇଭିଏମ୍ ସହିତ ଅଦଳବଦଳ କରିବେ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା ।

ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ନାକଚ କରି ଗୋପାଳନ କହିଛନ୍ତି, “ନୂଆପଡା ଉପନିର୍ବାଚନରେ ଅନ୍ୟ କୌଣସି ଜିଲ୍ଲାର ଇଭିଏମ୍ ବ୍ୟବହାର ହେବନାହିଁ । ନ କୌଣସି ଜିଲ୍ଲାରୁ ଇଭିଏମ୍ ଆସିଛି, ନ କୌଣସି ଜିଲ୍ଲାକୁ ଇଭିଏମ୍ ଯାଇଛି ।” ତଦନ୍ତ କରି ଜଣାପଡିଛି ଯେ ଗଞ୍ଜାମ ଜିଲ୍ଲାର ୱାରହାଉସ୍ ର ସିସିଟିଭି ଫୁଟେଜରେ ଏଭଳି କୌଣସି ଟ୍ରକ ଯାତାୟତ ଚିତ୍ରିତ ହୋଇନାହିଁ । ତାଙ୍କ ମତରେ, ଇଭିଏମ୍ ବିରୋଧରେ ଆସୁଥିବା ଅଭିଯୋଗ କେବେବି ପ୍ରମାଣିତ ହୋଇନାହିଁ ।

ନିର୍ବାଚନୀୟ ପ୍ରସ୍ତୁତି ସମ୍ପର୍କରେ ସିଇଓ କହିଛନ୍ତି ଯେ ୧୫୦ରୁ ଅଧିକ ପୋଲିଂ ପାର୍ଟି ସନ୍ଧ୍ୟା ୬ଟା ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚି ଯିବେ । ନୂଆପଡ଼ା ମଣ୍ଡଳୀର ୩୫୮ ବୁଥ ପାଇଁ ୩୭ ଟି କାଉଣ୍ଟର ରଖାଯାଇଛି । ତାଙ୍କ ମତରେ ଭୋଟିଂରେ କୌଣସି ସମସ୍ୟା ହେବନାହିଁ ଏବଂ ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ଟଙ୍କାବଣ୍ଟା ସମ୍ବନ୍ଧୀୟ ତିନୋଟି ଅଭିଯୋଗ ପାଇଥିବା ଉଲ୍ଲେଖ କରି ଗୋପାଳନ କହିଛନ୍ତି ଯେ ଅଭିଯୋଗକାରୀ ଦଳକୁ ପ୍ରମାଣ ଦେବାକୁ କୁହାଯାଇଥିଲା, କିନ୍ତୁ ସେମାନେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଖାଇ ନାହାନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ଭିଡିଓ ଜିଲ୍ଲା ବାହାରର ଏବଂ ୯ ତାରିଖ ପୂର୍ବର, ଯାହା ନୂଆପଡା ନିର୍ବାଚନୀୟ ପ୍ରକ୍ରିୟା ସହିତ ଜଡିତ ନୁହେଁ । ବର୍ତ୍ତମାନ ସୁଦ୍ଧା କୌଣସି ଟଙ୍କାବଣ୍ଟନର ଘଟଣା ଚିହ୍ନଟ ହୋଇନାହିଁ ।