ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ‘ଜନ ସୂରାଜ’ ଦଳର ହାତ ଶୂନ୍ୟ
ପାଟନା (ସଂକେତ ଟିଭି): ବିହାର ରଣକ୍ଷେତ୍ରରେ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କ ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଏକ ଶକ୍ତ ଝଟକା ଭାବରେ ଆସିଛି। ତାଙ୍କ ଦଳ ଜନ ସୂରାଜ ପାର୍ଟି ରାଜ୍ୟର ୨୩୮ ଆସନରେ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା କୌଣସି ଏକ ଆସନ ଜିତିବାରେ ସଫଳ ହୋଇପାରିନାହିଁ। ଦଳର ଖାତା ଶୂନ ରହିଛି।
ପୂର୍ବରୁ ପ୍ରଶାନ୍ତ କିଶୋର କହିଥିଲେ ଯେ ତାଙ୍କ ଦଳ “ଅର୍ଶ ପର୍ ୟା ଫର୍ଶ ପର୍” (ଆକାଶରେ କିମ୍ବା ମାଟିରେ) ରହିବ। ଫଳାଫଳ ଏହାର ସ୍ପଷ୍ଟ ଉତ୍ତର ଦେଇଛି ଯେ ଜନ ସୂରାଜ ଦଳ ମାଟିରେ ପଡିଛି। ରାଜ୍ୟ ରାଜନୀତିରେ ତୃତୀୟ ବିକଳ୍ପ ଭାବରେ ଉପସ୍ଥାପିତ ହେବାର ଲକ୍ଷ୍ୟ ଥିଲା ସୁଦ୍ଧା, ବିହାରର ଜାତିଗତ ଭୋଟିଂ ଢାଂଚାକୁ ଭେଦ କରିବାରେ ଦଳଟି ସଫଳ ହୋଇପାରିନାହିଁ। ରାଜନୈତିକ ବିଶ୍ଳେଷକଙ୍କ ମତରେ, ପ୍ରଶାନ୍ତ କିଶୋର ଏବଂ ଆସାଦୁଦ୍ଦିନ୍ ଓୱେସୀଙ୍କ ଇଓଗଓଗ ଦଳ ମହାଗଠବନ୍ଧନରୁ ବଡ଼ ସଂଖ୍ୟକ ଭୋଟ୍ କାଟିବାରେ ସଫଳ ହୋଇଥିବା ଦେଖାଯାଏ।
ଅନ୍ୟ ପକ୍ଷରେ, ବିହାରରେ କ୍ଷମତାସୀନ ମେଣ୍ଟ ଏନଡିଏ ଏଥର ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି। ମୋଟ ୨୦୨ ଆସନରେ ଏନଡିଏ ଜୟଲାଭ କରିଛି। ଏଥିରେ ବିଜେପି ୯୧ ଆସନ, ଜେଡିୟୁ ୮୩ ଆସନ ଏବଂ ଏଲଜେପି ୧୯ ଆସନ ଜିତିଛି। ବିପକ୍ଷ ମହାଗଠବନ୍ଧନ ମାତ୍ର ୩୫ ଆସନରେ ସୀମିତ ରହିଛି, ଯେଉଁଥିରେ ଆରଜେଡି ୨୭ ଏବଂ କଂଗ୍ରେସ ମାତ୍ର ୫ ଆସନ ଜିତିଛି। ଏହି ପୃଷ୍ଠଭୂମିରେ, ନୂଆ କରି ଆରମ୍ଭ ହୋଇଥିବା ପ୍ରଶାନ୍ତ କିଶୋରଙ୍କ ଦଳ ନିଜର ରାଜନୈତିକ ସତ୍ତା ପ୍ରତିଷ୍ଠା କରିବାରେ ବିଫଳ ହୋଇଛି।
