ନୂଆପଡ଼ା ଉପନିର୍ବାଚନ : ବିଜେପି ପ୍ରାର୍ଥୀ ଜୟ ଢେଲକିଆ ବିଜୟୀ, ତୃତୀୟରେ ବିଜେଡି
ଭୁବନେଶ୍ବର (ସଂକେତ ଟିଭି):ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି। ଜୟ ଢେଲକିଆ ୧,୨୩,୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢେଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି। ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି।
ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ଏହା ପୁଣି ୧୧ ବର୍ଷ ପରେ। ନୂଆପଡ଼ାର ଜନତା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ବିପୁଳ ଭୋଟ୍ ଦେଇଛନ୍ତି। ବିଜୟୀ ପ୍ରାର୍ଥୀ ଜୟ ଢେଲକିଆ ବିଜୟ ଶୋଭାଯାତ୍ରା କରିଛନ୍ତି। ସେ ଖରିଆର ରୋଡ଼ରେ ନିଜ ପରିବାର ଏବଂ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।
ନୂଆପଡ଼ା ଉପନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟ୍ ସଂଖ୍ୟା ହେଲା: ଜୟ ଢେଲକିଆ (ବିଜେପି): ୧,୨୩,୮୬୯; ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧; ସ୍ନେହାଙ୍ଗିନୀ ଛୁରିଆ (ବିଜେଡି): ୩୮,୪୦୮; ଲୋଚନ ସିଂହ ମାଝୀ (ସ୍ବାଧୀନ): ୨,୧୩୭; ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ବାଧୀନ): ୧,୩୨୨; କିଶୋର କୁମାର ବାଗ (ସ୍ବାଧୀନ): ୭୪୩; ଭୁବନଲାଲ ସାହୁ (ସ୍ବାଧୀନ): ୭୨୧; ହେମନ୍ତ ତାଣ୍ଡି (ସ୍ବାଧୀନ): ୬୬୨; ଚକ୍ରାନ୍ତ ଜେନା (ସ୍ବାଧୀନ): ୫୨୯; ଭକ୍ତବନ୍ଧୁ ଧରୁଆ (ସ୍ବାଧୀନ): ୫୧୧; ରମାକାନ୍ତ ହାତୀ (ସମାଜବାଦୀ ପାର୍ଟି): ୪୮୯; ନୀତା ବାଗ (ସ୍ବାଧୀନ): ୫୨୯; ଆଶ୍ରୟ ମହାନନ୍ଦ (ସ୍ବାଧୀନ): ୧୯୧; ସୁଖଧର ଦଣ୍ଡସେନା (ଓଡ଼ିଶା ଜନତା ପାର୍ଟି): ୧୬୭। ପୋଷ୍ଟାଲ ବାଲଟ୍ ଭୋଟ୍ ମଧ୍ୟରେ ବିଜେପିକୁ ୧୧୨, କଂଗ୍ରେସକୁ ୫୫ ଏବଂ ବିଜେଡିକୁ ୩୦ଟି ଭୋଟ୍ ମିଳିଥିଲା, ଅନ୍ୟ ୮୯ଟି ଭୋଟ୍ ଅବୈଧ ଭାବେ ଚିହ୍ନଟ ହୋଇଥିଲା।
ନୂଆପଡ଼ା ନିର୍ବାଚନରେ ବିଜୟ ହାସଲ କରିବା ପରେ ଓଡ଼ିଶା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚିଛି। ଅନ୍ୟପଟରେ ବିଜେଡିର ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି। ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି। ନୂଆପଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନେତା, କର୍ମୀ ଉତ୍ସାହିତ ଅଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଘରେ ବିଜୟର ମାହୋଲ ଦେଖାଯାଇଛି।
ଓଡ଼ିଶା ବିଧାନସଭା ନିର୍ବାଚନ-୨୦୧୪ରେ ନୂଆପଡ଼ା ଆସନରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପଦ୍ମ ଫୁଟାଇଥିଲା। ସେହି ସମୟରେ ବିଜେପିର ପ୍ରାର୍ଥୀ ବସନ୍ତ ପଣ୍ଡା ୯,୬୧୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢେଲକିଆ ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୦,୩୩୦ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ସରକାରର ବିପର୍ଯ୍ୟୟ ଘଟିଥିଲା, କିନ୍ତୁ ରାଜେନ୍ଦ୍ର ଢେଲକିଆ ପୁଣି ଥରେ ନୂଆପଡ଼ାରେ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ଥିଲା।
ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇଥିଲା। ଏହି ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୨,୧୨,୩୮୫ ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩,୮୧୭ ଥିବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ ଥିଲା। ମୋଟ ୮୩.୪୫% ମତଦାନ ହୋଇଛି।
