FeaturedLatestNews

ଭଦ୍ରକ ରେଳ ଷ୍ଟେସନ ନିକଟରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଭଦ୍ରକ (ସଂକେତ ଟିଭି): ଦୀର୍ଘ ଦିନର ବିରତି ପରେ ଭଦ୍ରକ ଜିଲ୍ଲାରେ ପୁଣି ସରକାରୀ ଜମି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ଉଚ୍ଛେଦ କାର୍ଯ୍ୟକ୍ରମ ଚରମ୍ପା ଛକରୁ ଭଦ୍ରକ ରେଳ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାରେ ଆଜି କରାଯାଇଛି ।

ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ୧୫ ଦିନ ପୂର୍ବରୁ ଘୋଷଣା କରାଯିବା ପରେ, ଜବର ଦଖଲ କରିଥିବା ଅନେକ ଦୋକାନ ଓ ଘରର ମାଲିକମାନେ ନିଜେ ନିଜେ ତାଙ୍କର ସାମଗ୍ରୀ ଖୋଲି ନେଉଥିବା ଦେଖାଯାଇଛି । ଭଦ୍ରକ ରେଳ ଷ୍ଟେସନକୁ ଯାଉଥିବା ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୀର୍ଘକାଳୀନ ଜବରଦଖଲ ଯୋଗୁଁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଉପଜିଲ୍ଲାପାଳଙ୍କ ମତାନୁସାରେ, ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଅଧିକ ଘର ଓ ଦୋକାନ ଜବରଦଖଲ ଉଚ୍ଛେଦ ହେବାର କଥା । ଏହି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ପାଇଁ ଉପଜିଲ୍ଲାପାଳ, ତହସିଲଦାରଙ୍କ ସମେତ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି ।