ସ୍ୱତନ୍ତ୍ର OTET ପରୀକ୍ଷା ଫଳ ପ୍ରକାଶ, ୪୮,୧୫୩ ଜଣ ଉତ୍ତୀର୍ଣ୍ଣ
ଭୁବନେଶ୍ବର (ସଂକେତ ଟିଭି): ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଆଜି ଶନିବାର ସ୍ୱତନ୍ତ୍ର ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ଫଳାଫଳ ପ୍ରକାଶ କରିଛି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଆଜି ଅପରାହ୍ଣ ୪ଟା ପରେ ବୋର୍ଡର ୱେବସାଇଟ www.bseodisha.ac.in ରୁ ତାଙ୍କର ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ । ସାର୍ଟିଫିକେଟ୍ ଡାଉନଲୋଡ୍ କରିବାର ସୁଯୋଗ ଆଜିଠାରୁ ଆରମ୍ଭ ହୋଇ ଆଗାମୀ ଏକ ମାସ ପର୍ଯ୍ୟନ୍ତ ରହିବ ।
ଏଥିସରି ପ୍ରାଥମିକ ଶିକ୍ଷକ ପଦପାଇଁ ୭୫,୪୦୩ ଜଣ ଆବେଦନ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ୭୨,୪୧୩ ଜଣ ପରୀକ୍ଷାରେ ବସିଥିଲେ । ସେମାନଙ୍କ ମଧ୍ୟରୁ ୪୮,୧୫୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହାକି ସମୁଦାୟ ୬୬.୫% ପାସ୍ ହାର ପ୍ରଦର୍ଶିତ କରେ । ଏହି ପରୀକ୍ଷା ଦୁଇଟି ପେପରରେ ଆୟୋଜିତ ହୋଇଥିଲା । ପେପର-୧ ପାଇଁ ୨୯,୦୦୪ ଜଣ ଆବେଦନ କରିଥିଲେ ଏବଂ ୨୭,୫୩୩ ଜଣ ପରୀକ୍ଷା ଦେଇ ୧୨,୯୮୮ ଜଣ (୪୭.୧୭%) ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୨ ରେ ୪୬,୩୯୯ ଜଣ ଆବେଦନକର୍ତ୍ତା ମଧ୍ୟରୁ ୪୪,୮୮୦ ଜଣ ପରୀକ୍ଷା ଦେଇ ୩୫,୧୬୫ ଜଣ (୭୮.୩୫%) ସଫଳ ହୋଇଛନ୍ତି ।
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ମତାନୁସାର, ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ୍ର ହାର୍ଡ କପି ସେମାନଙ୍କ ନିର୍ଦ୍ଦିଷ୍ଟ ଠିକଣାକୁ ପଠାଯିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି, ସେମାନେ ନିଜ ଓଏମଆର (OMR) ଉତ୍ତର ପତ୍ରିକା ଆଗାମୀ ୭ ଦିନ ଅର୍ଥାତ୍ ୨୨ ତାରିଖ ମଧ୍ୟରେ କୌଣସି ଫି ଦେୟ ଛଡ଼ା ଡାଉନଲୋଡ୍ କରିପାରିବେ ।
ଉଲ୍ଲେଖ୍ୟ, ଗତ ୨୭ ସେପ୍ଟେମ୍ବରରେ ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ଏହି ସ୍ୱତନ୍ତ୍ର OTET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ପ୍ରଘଟ ଘଟଣା ଯୋଗୁଁ ଏହି ପରୀକ୍ଷା ପୂର୍ବରୁ ସ୍ଥଗିତ କରାଯାଇଥିଲା ଏବଂ ଏହି ଘଟଣାର ସଂପୃକ୍ତରେ ବୋର୍ଡର ତତ୍କାଳୀନ ଉପସଭାପତିଙ୍କ ସମେତ ୮ ଜଣକୁ ଗିରଫ କରାଯାଇଥିଲା ।
