CulturalFeaturedLatestNews

ପୁରୀ ବେଳାଭୂମିର ଗର୍ବର ମୁକୁଟ: ଲଗାତାର ସପ୍ତମ ଥର ପାଇଁ ବ୍ଲୁ ଫ୍ଲାଗ୍ ସମ୍ମାନ

ପୁରୀ (ସଂକେତ ଟିଭି): ପୁରୀ ବେଳାଭୂମି ପାଇଁ ଆଉ ଥରେ ଗର୍ବ କରିବାର ଅବସର ଆସିଛି । ୨୦୨୫-୨୬ ବର୍ଷ ପାଇଁ ପୁରୀ ବେଳାଭୂମିକୁ ପୁଣି ଥରେ ବିଶ୍ୱସ୍ତରୀୟ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି । ଲଗାତାର ସପ୍ତମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ପୁରୀ ସଫଳ ହୋଇଛି ।

ଏହି ବ୍ଲୁ ଫ୍ଲାଗ୍ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରେ ଡେନମାର୍କର ଅନ୍ତର୍ଜାତୀୟ ସଂସ୍ଥା ଫାଉଣ୍ଡେସନ୍ ଫର୍ ଏନଭାରମେଣ୍ଟାଲ୍ ଏଜୁକେସନ୍ । ବେଳାଭୂମିର ସ୍ୱଚ୍ଛତା, ପରିବେଶ ଉପଯୋଗୀତା, ସୁରକ୍ଷା ବ୍ୟବସ୍ଥା ସହିତ ମୋଟ ୩୩ଟି କଠୋର ମାନଦଣ୍ଡ ପୂରଣ କରିବା ପରେ ହିଁ ଏହି ସମ୍ମାନ ମିଳିଥାଏ । ପ୍ରତିବର୍ଷ ଏକ ବିଶେଷଜ୍ଞ ଦଳ ଦ୍ଵାରା ସର୍ବେକ୍ଷଣ କରାଯାଇ ଏହାର ନବୀକରଣ ହୋଇଥାଏ । ଚାଳିତ ବର୍ଷ ମଧ୍ୟ ପୂର୍ବଭଳି ସର୍ବେକ୍ଷଣ କରାଯାଇ ପୁରୀ ନିର୍ଦ୍ଧାରିତ ମାନଦଣ୍ଡଗୁଡିକ ପୂରଣ କରିଛି ବୋଲି ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନ, ପୁରୀର ଗାନ୍ଧୀ ପାର୍କ ବେଳାଭୂମି ଠାରୁ ହୋଟେଲ୍ ମେ’ ଫେୟାର୍ ବେଳାଭୂମି ପର୍ଯ୍ୟନ୍ତ ୮୦୦ ମିଟର ଲମ୍ବ ଅଞ୍ଚଳକୁ ଏହି ମାନ୍ୟତା ମିଳିଛି । ପୁରୀ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ଏହି ସଫଳତାର ମୁଖ୍ୟ କାରଣ ରୂପେ ଚିହ୍ନଟ କରାଯାଇଛି । ପର୍ଯ୍ୟଟକଙ୍କ ମଧ୍ୟରେ ବ୍ଲୁ ଫ୍ଲାଗ୍ ବିଚ୍ ପ୍ରତି ବଢିଥିବା ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଶାସନର ଲକ୍ଷ୍ୟ ରହିଛି ଲାଇଟ୍ ହାଉସ୍ ଠାରୁ ଷ୍ଟରଲିନ୍ ଛକ୍ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ବ୍ଲୁ ଫ୍ଲାଗ୍ ବିଚ୍ ଭାବରେ ଘୋଷଣା କରିବା, ଯାହାଦ୍ଵାରା ଅଧିକ ପର୍ଯ୍ୟଟକ ଆକର୍ଷିତ ହେବେ ।

ପୁରୀ ହୋଟେଲିୟର୍ ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, “ପୁରୀ ବେଳାଭୂମି ପାଇଁ ଲଗାତାର ସପ୍ତମ ଥର ପାଇଁ ବ୍ଲୁ ଫ୍ଲାଗ୍ ପ୍ରମାଣପତ୍ର ମିଳିବା ନିଶ୍ଚିତ ଭାବେ ଖୁସିର କଥା । ପର୍ଯ୍ୟଟକମାନେ ଏଠାରେ ସୁରକ୍ଷିତ ସମୁଦ୍ର ସ୍ନାନ, କଡା ସୁରକ୍ଷା ବ୍ୟବସ୍ଥା, ପରିବର୍ତ୍ତନ ଗୃହ, ଉଚ୍ଚମାନର ଶୌଚାଳୟ ଏବଂ ପରିବେଶ ଉପଯୋଗୀ ଶାନ୍ତ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି ।” ତାଙ୍କ ମତରେ, ପେଣ୍ଠକଟା ଠାରୁ ଷ୍ଟରଲିନ୍ ଛକ୍ ପର୍ଯ୍ୟନ୍ତ ରହିଥିବା ସମ୍ପୁର୍ଣ୍ଣ ବେଳାଭୂମିର ଯେତିକି ଉନ୍ନତି ହେବା କଥା ତାହା ହୋଇନାହିଁ ଏବଂ ଏହି ଅଞ୍ଚଳକୁ ମଧ୍ୟ ବ୍ଲୁ ଫ୍ଲାଗ୍ ମାନ୍ୟତା ପ୍ରଦାନ କରିବା ଦିଗରେ ଆଗେଇବା ଉଚିତ୍ ।