FeaturedLatestNewsSports

ବାରବାଟୀ ଗ୍ୟାଲେରୀ ନିରାପତ୍ତା ତଦନ୍ତ ଶେଷ, ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ସବୁ ପ୍ରସ୍ତୁତ

କଟକ (ସଂକେତ ଟିଭି): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ୍ । ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ଟେକ୍ନିକାଲ କମିଟି ସହ ଭୁବନେଶ୍ୱର ଆଇଆଇଟିର ବିଶେଷଜ୍ଞ ଏବଂ ଆର୍ ଆଣ୍ଡ୍ ବି ବିଭାଗର ଯନ୍ତ୍ରୀମାନେ ଏହି ତଦନ୍ତ କରିଛନ୍ତି । ସେମାନେ ବାରବାଟୀ ଷ୍ଟାଡିୟମର ୫, ୬ ଓ ୭ ନମ୍ବର ଗ୍ୟାଲେରୀର ସ୍ଥିତି ଏବଂ ମରାମତି କାର୍ଯ୍ୟ ପରୀକ୍ଷା କରିଛନ୍ତି ।

ଓସିଏ ବୈଷୟିକ କମିଟିର ମୁଖ୍ୟ କହିଛନ୍ତି ଯେ କମିଟି ଆସନ୍ତା ୬ ତାରିଖ ସୁଦ୍ଧା ନିଜର ରିପୋର୍ଟ ଓସିଏ ଏବଂ ରାଜ୍ୟ ସରକାରଙ୍କୁ ଦେବ । ତାଙ୍କ ମତରେ, ଚଳିତ ଥର ୭ ନମ୍ବର ଗ୍ୟାଲେରୀର କାନାଡା ଓ ଥାଇଲାଣ୍ଡର ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷଣ କରାଯାଇଛି ଏବଂ ଗ୍ୟାଲେରୀ ସମ୍ପୂର୍ଣ୍ଣ ନିରାପଦ ଅଛି । ତିନି ଗ୍ୟାଲେରୀରେ ଦର୍ଶକଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କରିଡର୍ ବ୍ୟବସ୍ଥା କରାଯାଇଥିବା ବିଷୟଟି କମିଟି ରିପୋର୍ଟରେ ଉଲ୍ଲେଖ ରହିବ ।

ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ପିଚ୍ ଏବଂ ଆଉଟଫିଲ୍ଡକୁ ପ୍ରସ୍ତୁତ ରଖିବା ଲାଗି କାମ ଚାଲିଛି । ଅନୁକୂଳ ପାଗ ଯୋଗୁଁ ଗ୍ରାଉଣ୍ଡସମ୍ୟାନମାନେ ଦୈନିକ ଦୁଇ ଥର ଆଉଟଫିଲ୍ଡର ଯତ୍ନନେଉଛନ୍ତି । ମ୍ୟାଚ୍ ପାଇଁ ବାରବାଟୀର ପିଚ୍ ମଧ୍ୟ ପ୍ରସ୍ତୁତ ହୋଇଛି ଏବଂ ପ୍ରତ୍ୟେକ ରୋଲିଂ ସହିତ ଆବଶ୍ୟକୀୟ ପାଣି ସିଞ୍ଚନ କରାଯାଉଛି । ଟି-ଟ୍ବେଣ୍ଟି ଫର୍ମାଟରେ ଖେଳ ହେବା ଯୋଗୁଁ ପିଚ୍ ଏବଂ ଆଉଟଫିଲ୍ଡ ଫାଷ୍ଟ ହେବା ଆବଶ୍ୟକ ଏବଂ କାମ ମଧ୍ୟ ସେହି ଅନୁଯାୟୀ ଚାଲିଛି ।

ଏବେ ବାରବାଟୀ ଷ୍ଟାଡିୟମର ସମସ୍ତ ୭ଟି ଗ୍ୟାଲେରୀର ପୁନର୍ନିର୍ମାଣ କାର୍ଯ୍ୟ ଚାଲିଛି । ଗୁରୁବାର ସୁଦ୍ଧା ୫ ଏବଂ ୬ ନମ୍ବର ଗ୍ୟାଲେରୀର କାମ ସମାପ୍ତ ହୋଇସାରିଛି ଏବଂ ଅବଶିଷ୍ଟ ଗ୍ୟାଲେରୀଗୁଡ଼ିକର କାର୍ଯ୍ୟ ଜୋର୍ରେ ଚାଲିଛି । ଏହି ପୁନର୍ନିର୍ମାଣ କାର୍ଯ୍ୟରେ ଦର୍ଶକଙ୍କ ସୁବିଧା ଓ ପସନ୍ଦକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପୂର୍ବେ ଗ୍ୟାଲେରୀର ସିଟ୍ ଗୁଡିକ ୧୯ ଇଞ୍ଚ ବିଶିଷ୍ଟ ଥିଲା, କିନ୍ତୁ ଏବେ ସେଗୁଡିକୁ ୨୨ ଇଞ୍ଚିଆ କରାଯାଉଛି, ଯାହା ଦ୍ୱାରା ଦର୍ଶକଙ୍କୁ ଅଧିକ ସୁବିଧା ମିଳିବ । ତା ସହିତ, ଗ୍ୟାଲେରୀ ଗୁଡିକର ନବକଳେବର ପରେ ଷ୍ଟାଡିୟମର ସମୁଦାୟ ସିଟ୍ ସଂଖ୍ୟା କେତେ ହେବ, ତାହା ସମ୍ବନ୍ଧରେ କୌଣସି ସୂଚନା ମିଳି ନାହିଁ । ପୂର୍ବେ ଏଠାରେ ୪୫ ହଜାର ଦର୍ଶକଙ୍କ ବସିବାର ବ୍ୟବସ୍ଥା ଥିଲା ।