FeaturedLatestNews

ଫୁଲ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ନୀଳଗିରି ଏନଏସି ଅଧୀନର ୫ ନମ୍ବର ୱାର୍ଡ଼ସ୍ଥିତ ସାନଓତା ଗ୍ରାମରେ ଏକ ମର୍ମସ୍ପର୍ଶୀ ଘଟଣା ଘଟିଛି । ପଡୋଶୀଙ୍କ ବାଡ଼ିରୁ ଫୁଲ ତୋଳିବାକୁ ଯାଇଥିବା ଏକ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କୁ ଚିହ୍ନଟ କରାଯାଇଛି ଗ୍ରାମବାସୀ ତାପସ ଦାସ ଭାବରେ ।

ଘଟଣାଟି ଶୁକ୍ରବାର ସକାଳଟାରେ ଘଟିଥିବା ବିଶ୍ୱାସ କରାଯାଉଛି । ନିତ୍ୟଦିନ ପରି ତାପସ ନି�କଟସ୍ଥ ଏକ ମନ୍ଦିରରେ ଫୁଲ ଅର୍ପଣ କରିବା ଉଦ୍ଦେଶ୍ୟରେ ପଡୋଶୀ ଦିଲ୍ଲୀପ ରାଉତଙ୍କ ବାଡ଼ିକୁ ଫୁଲ ତୋଳିବା ପାଇଁ ଯାଇଥିଲେ । କୁହାଯାଉଛି ଫୁଲ ଚୋରି ରୋକିବା ପାଇଁ ବାଡ଼ିର ଗଛମାନଙ୍କରେ ଲୁହା ତାର ଘେରାଇ ବିଦ୍ୟୁତ୍ ସରବରାହ କରାଯାଇଥିଲା । ଫୁଲ ତୋଳୁଥିବା ବେଳେ ତାପସ ଅଜାଣତରେ ସେହି ବିଦ୍ୟୁତ୍ ଯୁକ୍ତ ଅଂଶକୁ ସ୍ପର୍ଶ କରିବା ପରେ ବିଦ୍ୟୁତ୍ ଆଘାତ ଲାଗି ସ୍ଥାନୀୟଭାବେ ଟଳିପଡିଥିଲେ ।

ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଗୃହକର୍ତ୍ତା ଉପରେ ଗୁରୁତର ଅଭିଯୋଗ ଆରୋପ କରିଛନ୍ତି । ତାଙ୍କ ମତରେ, କୌଣସି ପ୍ରକାରର ସତର୍କତା ବା ସୂଚନା ଦେଇନଥିବା ଅବସ୍ଥାରେ ଏଭଳି ଜୀବନଘାତୀ ଫନ୍ଦ ପ୍ରସ୍ତୁତ କରିବା ଚରମ ଲାପରବାହୀ । ଘଟଣାସ୍ଥଳରେ ତାପସଙ୍କ ବିଧବା ମାଆ ମୁଣ୍ଡପିଟି କାନ୍ଦିଥିବା ବେଳେ ଅନ୍ୟ ଗ୍ରାମବାସୀମାନେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏଥିସହ ଜଣାଯାଏ ଯେ ଗୃହକର୍ତ୍ତା ଦିଲ୍ଲୀପ ରାଉତ ବାଲେଶ୍ୱର ସହରରେ ରହନ୍ତି ଏବଂ ତାଙ୍କ ମାଆ କୁନା ରାଉତ ବାଡ଼ିର ଦେଖଭାଳ କରନ୍ତି । ଘଟଣା ପରେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ମୃତଦେହକୁ ପୋଷ୍ଟ-ମର୍ଟମ୍ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଅଭିଯୁକ୍ତ ପକ୍ଷ ବିଦ୍ୟୁତ୍ କରେଣ୍ଟ ଲଗାଇବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୁଲିସ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।