FeaturedLatestNews

ବାଲି ବିକ୍ରିରେ ନୂଆ ନିୟମ: MSP ଲାଗୁ, ଇ-ଲଟେରୀରେ ଲିଜ୍

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ସରକାର ବାଲି ବ୍ୟବସାୟ ଉପରେ କଡ଼ା ନିୟନ୍ତ୍ରଣ ଆଣୁଛନ୍ତି । ବାଲି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପ ଉପରେ ଅଟକ ଲଗାଇବା ପାଇଁ ଶୁକ୍ରବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ବାଲି ପାଇଁ ନ୍ୟୁନତମ ସମର୍ଥନ ମୂଲ୍ୟ (MSP) ଲାଗୁ କରାଯିବ ।

ଏହି ନୂଆ ନିୟମ ଅନୁଯାୟୀ, ବାଲି ଖଣିର ଲିଜ୍ଧାରୀମାନେ ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବାଲି ବିକ୍ରି କରିବେ । ମନଇଚ୍ଛା ଦର ବଢାଇବାର ଅଧିକାର ଆଉ ରହିବ ନାହିଁ । ସାରା ରାଜ୍ୟରେ ବାଲି ଗୋଟିଏ ନିର୍ଦ୍ଧିଷ୍ଟ ଦରରେ ବିକ୍ରି ହେବ, ଯାହାଦ୍ୱାରା ଦର କମିବା ସହିତ ଲୋକଙ୍କୁ ସୁଲଭ ମୂଲ୍ୟରେ ବାଲି ମିଳିବ ।

ଖଣି ଲିଜ୍ ଦେବା ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଆସୁଛି । ବାଲି ଖଣି ପାଇଁ ଇ-ନିଲାମି ହେବ ନାହିଁ, ବରଂ ଇ-ଲଟେରୀ ମାଧ୍ୟମରେ ଲିଜ୍ ଦିଆଯିବ । ଏହାସହ ଏବେଠାରୁ ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ୍ ଲାଇସେନ୍ସ ଆବଶ୍ୟକ ହେବ । ବିନା ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ ଗଚ୍ଛିତ କରିବା ବେଆଇନ ହେବ ।

ଏହି ସଂଶୋଧନ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ କରାଯାଇଛି । ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଏହି ପଦକ୍ଷେପଗୁଡିକ ବାଲି ମାଫିଆଙ୍କ ମନମାନୀ କାର୍ଯ୍ୟପ୍ରଣାଳୀ ଓ ବେଆଇନ ଉତ୍ତୋଳନ ଉପରେ ପୂର୍ଣ୍ଣ ବିରାମ ଦେବ ।