CrimeFeaturedLatestNews

ରାଉରକେଲାରେ ପୋଲିସ ଏନକାଉଣ୍ଟର: ତିନି ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉରକେଲା (ସଂକେତ ଟିଭି): ରାଉରକେଲା ପୋଲିସ ଜିଲ୍ଲାର ଲାଠିକଟା କୁଚେଇତା ନିକଟରେ ରବିବାର ଭୋର ସମୟରେ ଏକ ପୁଲିସ ଏନକାଉଣ୍ଟର ଘଟିଛି। ଏଥିରେ ଲହୁଣୀପଡ଼ା ଓ କୋଇଡା ଅଞ୍ଚଳରେ ଧାରାବାହିକ ଡକାୟତି ଘଟଣା ସହିତ ଜଡିତ ତିନି ଗୁରୁତର ଅପରାଧୀ ଆହତ ହୋଇଛନ୍ତି। ରାଉରକେଲାର ସ୍ୱତନ୍ତ୍ର ପୁଲିସ ଦଳକୁ ଫସାଇ ଖସି ପଳାଉଥିବା ବେଳେ ଏହି ଅପରାଧୀମାନଙ୍କ ଉପରେ ପୁଲିସ ଗୁଳି ଚଳାଇଥିଲେ। ଆହତ ଅପରାଧୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଘଟଣାସ୍ଥଳରୁ ଅନ୍ୟ ପାଞ୍ଚ ଜଣଙ୍କୁ ପୁଲିସ ଗିରଫ କରିଛି।

ଏହି ଅପରାଧୀ ଗୋଷ୍ଠୀ କୋଇଡା ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଡକାୟତି କରି ଫେରାର ହୋଇଯାଉଥିଲେ। ନିକଟ ଅତୀତରେ, ସେମାନେ ଲହୁଣୀପଡ଼ା ବରସୁଆଁ ଟ୍ରାନ୍ସପୋର୍ଟ ଅଫିସ୍ ଏବଂ କୋଇଡାର ଅନ୍ୟ ଏକ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ପ୍ରବେଶ କରି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ। ଏହିପରି ଭାବରେ ବଣାଇରେ ଜଣେ ବ୍ୟବସୟୀଙ୍କ ପରିବାରକୁ ବାନ୍ଧିଦେଇ ଲୁଟ୍ପାଟ କରିବାର ଘଟଣାରେ ମଧ୍ୟ ଏମାନଙ୍କ ଜଡ଼ିତ ଥିବାର ଚିହ୍ନଟ ହୋଇଛି।

ଗତ ଦୁଇ ସପ୍ତାହ ଭିତରେ, ଏହି ଗୋଷ୍ଠୀ ତିନିଟି ସ୍ଥାନରେ ଧଳାଦିନି ଡକାୟତି କରିଥିଲେ। ପ୍ରଥମେ ଲହୁଣିପଡ଼ା ଅଧୀନରେ ଥିବା ବରସୁଆଁ ସାଇଡିଂ ନିକଟସ୍ଥ ଏକ ଟ୍ରାନ୍ସପୋର୍ଟ ଅଫିସରୁ ସେମାନେ ପ୍ରାୟ ୩ ଲକ୍ଷ ୫୯ ହଜାର ଟଙ୍କା ଲୁଟ୍କରିଥିଲେ। ତା’ପରେ ଗତ ୧୯ ତାରିଖର ରାତିରେ ସେମାନେ କୋଇଡା ବଜାରର ମା’ ତାରିଣୀ ଟ୍ରାନ୍ସପୋର୍ଟରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍କରିଥିଲେ। ଏହାଛଡା, କୋଇଡା ରେଙ୍ଗାଲବେଡାରେ ଦୁଇ ଜଣ ଗାଡି ମାଲିକଙ୍କଠାରୁ ବନ୍ଧୁକ ଦେଖାଇ ମୋଟ ୪ ଲକ୍ଷ ଟଙ୍କା ଅପହରଣ କରିଥିଲେ।

ଏହି ସମସ୍ତ ଘଟଣା ସହିତ ଜଡିତ ମୁଖ୍ୟ ଅଭିଯୁକ୍ତ କୁଖ୍ୟାତ ଚାଣ୍ଡେ (ଚନ୍ଦା ନାୟକ) ଗ୍ୟାଙ୍ଗର ସଦସ୍ୟ ବୋଲି ଚିହ୍ନଟ କରାଯାଇଛି। ଲହୁଣୀପଡ଼ା ଓ ଚାନ୍ଦିପୋଷ ପୋଲିସ ଷ୍ଟେସନ ଅଧୀନରେ ପୁଲିସ ସହ ଗୁଳିବିନିମୟ ହେବା ପରେ ଗ୍ୟାଙ୍ଗର ଏହି ତିନି ସଦସ୍ୟ ପଳାୟନ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିବା ବିଷୟ ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ବ୍ୟବହୃତ ୩ଟି ବନ୍ଧୁକ, ଗୁଳି, ଏକ ଟି ସ୍କୋର୍ପିଓ ଗାଡ଼ି ଏବଂ ନଗଦ ଟଙ୍କା ଜବତ କରିଛନ୍ତି। ଏହି ଗ୍ୟାଙ୍ଗ ବିରୋଧରେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟରେ ଅନେକ ଗୁରୁତର ମାମଲା ରଜିଷ୍ଟର ହୋଇଛି।