CulturalFeaturedGeneralLatest

ଶ୍ରୀରାମଙ୍କ ଜନ୍ମ ନକ୍ଷତ୍ରରେ ଅଯୋଧ୍ୟା ରାମ ମନ୍ଦିରରେ ହେଲା ଧ୍ୱଜାରୋହଣ

ନୂଆଦିଲ୍ଲୀ (ସଂକେତ ଟିଭି): ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ମଙ୍ଗଳବାର ଅତ୍ୟନ୍ତ ଶୁଭ ଧ୍ୱଜା ରୋହଣ ଉତ୍ସବ ଅନୁଷ୍ଠିତ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଧ୍ୱଜା ରୋହଣ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଧ୍ୱଜା ରୋପଣ ପାଇଁ ମଙ୍ଗଳବାର ସକାଳ ୧୧.୫୮ ଘଣ୍ଟାରୁ ମଧ୍ୟାହ୍ନ ୧୨.୩୦ ଘଣ୍ଟା ପର୍ଯ୍ୟନ୍ତ ଶୁଭ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହା ପ୍ରଭୁ ଶ୍ରୀରାମଙ୍କ ଜନ୍ମ ନକ୍ଷତ୍ର ଅଭିଜିତ ମୁହୂର୍ତ୍ତ ସହିତ ମେଳ ଖାଉଥିଲା ।

ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳେ ଅଯୋଧ୍ୟା ପହଞ୍ଚି ପ୍ରଥମେ ସରଯୂ ନଦୀରେ ସ୍ନାନ କରିଥିଲେ । ତାହାପରେ ଦେବପୂଜା ସାରି ସେ ଧ୍ୱଜା ରୋପଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏକ ବଟନ ଚିପି ସେ ଗେରୁଆ ରଙ୍ଗର ତ୍ରିକୋଣୀୟ ସ୍ୱତନ୍ତ୍ର ଧ୍ୱଜାଟିକୁ ଉଠାଇଥିଲେ ଏବଂ ଧ୍ୱଜାଟି ଶିଖରକୁ ଉଠିବା ପର୍ଯ୍ୟନ୍ତ ଦୁଇ ହାତ ଯୋଡି ନମସ୍କାର କରି ଛିଡା ହୋଇଥିଲେ । ଏହି ଧ୍ୱଜାର ଉଚ୍ଚତା ୧୦ ଫୁଟ ଏବଂ ଓସାର ୨୦ ଫୁଟ ଅଟେ । ଏଥିରେ ଏକ ଉଦୟ ସୂର୍ଯ୍ୟ, କାଞ୍ଚନ ବୃକ୍ଷ ଏବଂ ‘ଓଁ’ ଲେଖା ରହିଛି, ଯାହା ମର୍ଯ୍ୟାଦା, ଏକତା ଏବଂ ସାଂସ୍କୃତିକ ନିରନ୍ତରତାର ବାର୍ତ୍ତା ବହନ କରେ ।

ଧ୍ୱଜାରୋହଣ ପରେ ଦିଆଯାଇଥିବା ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କୁ ନିଜ ଭିତରର ରାମକୁ ଉଠାଇବାକୁ ପଡିବ । ତାଙ୍କ ମତରେ, ଅଯୋଧ୍ୟା ଦେଶର ଉତ୍କୃଷ୍ଟ ଚେତନାର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି ଏବଂ ଆଜି ସାରା ବିଶ୍ୱ ରାମମୟ ହୋଇପଡିଛି । ମୋଦୀ ଆହୁରି କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ଧରି ଜଳି ଆସୁଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ପଡିଛି ଏବଂ ଶତାବ୍ଦୀର ସଂକଳ୍ପ ଶେଷରେ ସିଦ୍ଧି ହାସଲ ହୋଇଛି ।

ଏହି ସମାରୋହରେ ଆରଏସଏସ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଆଦି ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟୁଇଟ୍ ଜରିଆରେ ଅତିଥିମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଶ୍ରୀ ଅଯୋଧ୍ୟା ଧାମ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ ଜଣାଉଛି ।

ଏହି ଐତିହାସିକ ଘଟଣା ଦେଖିବା ପାଇଁ ସାରା ଦେଶରୁ ପ୍ରାୟ ୭ ହଜାର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏବଂ ଜୟ ଶ୍ରୀରାମର ଧ୍ୱନିରେ ଅଯୋଧ୍ୟା ପ୍ରକମ୍ପିତ ହୋଇଉଠିଥିଲା । ମନ୍ଦିର ଶିଖରରେ ସ୍ଥାପିତ ହେଉଥିବା ଧ୍ୱଜାରେ ୨୧ କିଲୋଗ୍ରାମ ସୁନା ଲାଗିଛି ଏବଂ ମୁମ୍ବାଇର କାରିଗରମାନେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଶେଷ କାମ କରିଛନ୍ତି । ୧୬୧ ଫୁଟ ଉଚ୍ଚ ଏହି ଧ୍ୱଜା ସମ୍ପୂର୍ଣ୍ଣ ଭାବରେ ସୁନାରେ ମଣ୍ଡିତ ହୋଇଛି ।