FeaturedLatestNews

ଜମି, ଜଳ ଓ ମୃତ୍ତିକା ଅନୁଯାୟୀ ଚାଷ: ସଚେତନତା ରଥର ଯାତ୍ରା ଆରମ୍ଭ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଏଣିକି ଜମିର ପ୍ରକାର, ଜଳ ପରିଚାଳନା ଓ ମୃତ୍ତିକାର ଗୁଣବତ୍ତା ଅନୁଯାୟୀ ଚାଷ କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଛି । ଏ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାର ଏକ ସଚେତନତା ରଥ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଏହି ରଥର ଶୁଭାରମ୍ଭ କୃଷି ଭବନରୁ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କରିଛନ୍ତି ।

ଏହି ସଚେତନତା ରଥ ନୟାଗଡ଼, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ଏଲଆରଆଇ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ବୁଲିବ । ବୁଧବାରରୁ ଆରମ୍ଭ ହୋଇ ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେବଗଡ଼ର ୮ଟି, ଢେଙ୍କାନାଳର ୧୪ଟି, କୋରାପୁଟର ୧୬ଟି, ନୟାଗଡ଼ର ୧୯ଟି ଏବଂ ସମ୍ବଲପୁରର ୨୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ହୋଇଛି ।

ବିଜ୍ଞାନଭିତ୍ତିକ ଜଳବିଭାଜିକା ପରିଚାଳନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବା ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ । ଏହି ଯାତ୍ରା ମାଧ୍ୟମରେ ଚାଷୀମାନେ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦତ୍ତ ଏଲଆରଆଇ କାର୍ଡର ଉପାଦେୟତା ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ପାଇପାରିବେ । ଏହି କାର୍ଡ୍ ସାହାଯ୍ୟରେ ଚାଷୀମାନେ ନିଜ ଜମିର ଉପାଦେୟତା, ଉପଯୁକ୍ତ ଫସଲ, ମାଟିର ସମସ୍ୟା ଏବଂ ପ୍ରସ୍ତାବିତ ଉପଚାର ବିଷୟରେ ଜାଣିପାରିବେ ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଉପ ଜଳବିଭାଜିକା ଅନ୍ତର୍ଗତ ନୂତନ କାର୍ଯ୍ୟର ଶୁଭାରମ୍ଭ, ଭୂମି ପୂଜନ, ଏଲଆରଆଇ ମହୋତ୍ସବ, ଶ୍ରମଦାନ, ପାନୀ କି ପାଠଶାଲା ଆୟୋଜନ କରାଯିବ । ପୂର୍ବ ସମ୍ପାଦିତ କାର୍ଯ୍ୟାବଳୀର ଲୋକାର୍ପଣ ମଧ୍ୟ ହେବ । ଏଲଆରଆଇ କାର୍ଡର ସୁବ୍ୟବହାର କରି ଲାଭବାନ ହୋଇଥିବା ଚାଷୀଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

ଏହାଛଡ଼ା, ଆଗାମୀ ପୀଢ଼ୀକୁ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ବିଷୟରେ ଶିକ୍ଷିତ କରିବା ପାଇଁ ପଞ୍ଚାୟତ ସ୍ତରରେ ବିଦ୍ୟାଳୟଗୁଡ଼ିକରେ କୁଇଜ ପ୍ରତିଯୋଗିତା ଆୟୋଜିତ ହେବ । ସଚେତନତା ରଥର ଗତିବିଧି ଏମଆଇଏସ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯିବ ।

କୃଷି ମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି ଯେ ଏହାର ସୁବ୍ୟବହାର ଦ୍ୱାରା ଜଳବିଭାଜିକା ଅଞ୍ଚଳରେ ଫସଲ ଅମଳ ବୃଦ୍ଧି ହେବା ସହ ମୃତ୍ତିକା ଓ ଜଳ ସଂରକ୍ଷଣ ହୋଇପାରିବ । ଏହାକୁ ଜଳଛାୟା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି ।