୨୦ରୁ ଅଧିକ ପିଲା ଥିବା ବନ୍ଦ ସ୍କୁଲ ଖୋଲିବା ପାଇଁ ବିଚାର କରୁଛନ୍ତି ସରକାର : ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ଦ କରାଯାଇଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ସରକାର ଚିନ୍ତା କରୁଛନ୍ତି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଘୋଷଣା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଗତ ସରକାର ତରବରିଆ ଭାବରେ ଏହି ସ୍କୁଲଗୁଡ଼ିକୁ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ, ଜିଲ୍ଲା ସ୍ତରୀୟ କମିଟି ରାଜ୍ୟ ସ୍ତରୀୟ କମିଟିକୁ ଯେଉଁ ସ୍କୁଲଗୁଡ଼ିକର ପ୍ରସ୍ତାବ ପଠାଇଛନ୍ତି, ସେଗୁଡ଼ିକୁ ଖୋଲିବା ପାଇଁ ବିଚାର କରାଯାଉଛି । ଏଯାଏଁ ଏଭଳି ୪୬ଟି ସ୍କୁଲ ଖୋଲାଯାଇସରିଛି । ଆଉ ୫ଟି ସ୍କୁଲର ପ୍ରସ୍ତାବ ଆସିଥିଲା, ଯେଉଁଥିରୁ ଗୋଟିଏ ବାତିଲ୍ ହୋଇଛି ଏବଂ ଅନ୍ୟ ୪ଟିକୁ ଖୋଲିବା ପାଇଁ ବିଚାର ଚାଲିଛି ।
ସେହିପରି, ଡ୍ରପ୍ଆଉଟ୍ ବା ବିଦ୍ୟାଳୟ ଛାଡ଼ିବା ହାର କମାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିଧାୟିକା ସୁଭାଷିନୀ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଡ୍ରପ୍ଆଉଟ୍ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ, ‘ଆସ ସ୍କୁଲ ଯିବା’ ଅଭିଯାନ, ଗ୍ରାମ ପଡ଼ାରେ ନାମଲେଖା ଅଭିଯାନ ଏବଂ ପ୍ରବେଶ ଉତ୍ସବ ଆୟୋଜନ ମାଧ୍ୟମରେ ପିଲାମାନଙ୍କୁ ସ୍କୁଲକୁ ଫେରାଇ ଆଣିବାର ଉଦ୍ୟମ କରାଯାଇଛି ।
ଶ୍ରୀ ଗଣ୍ଡ କହିଛନ୍ତି ଯେ ସ୍କୁଲଗୁଡ଼ିକରେ ୧୦୦% ନାମଲେଖା ନିଶ୍ଚିତ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଗଣା ବସ୍ତ୍ର, ମାଗଣା ସାଇକେଲ ଭଳି ଯୋଜନା ଜାରି ରହିଛି । ପୂର୍ବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ପୋଷଣ ଯୋଜନା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଦିଆଯାଉଛି । ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଏହାର ଲାଭ ପାଇଛନ୍ତି । ଏଥିସହିତ ଭିନ୍ନକ୍ଷମ ପିଲାଙ୍କ ପାଇଁ ୧୫ ଶହ ଶିକ୍ଷକ ନିଯୁକ୍ତି କରାଯିବା ମଧ୍ୟ ଚିନ୍ତା କରାଯାଉଛି ।
ମନ୍ତ୍ରୀ ଏକ ସଫଳ ଉଦାହରଣ ଦେଇ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ୩୨୯ ଜଣ ଡ୍ରପ୍ଆଉଟ୍ ପିଲା ଚିହ୍ନଟ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ସ୍କୁଲକୁ ଫେରାଇ ଆଣିବା ସମ୍ଭବ ହୋଇଛି । ବାକି ମାତ୍ର ୨୯ ଜଣଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟରେ ପୂର୍ବରୁ ପିଏମ୍ ଶ୍ରୀ ସ୍କୁଲ ନଥିବା ବେଳେ ବର୍ତ୍ତମାନର ସରକାର ଆସିବା ପରେ ୭୬୨ଟି ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରିଛନ୍ତି ।
