ଓଡ଼ିଶାର ୨୦,୧୫୦ ଅଙ୍ଗନବାଡ଼ିର ନାହିଁ ନିଜସ୍ୱ ଘର
ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାର ଶୀତ ଅଧିବେଶନର ତୃତୀୟ ଦିନ ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଆଲୋଚନା ଏବଂ ପ୍ରଶ୍ନୋତ୍ତରରେ ଅଙ୍ଗନବାଡ଼ୀ କେନ୍ଦ୍ରଗୁଡ଼ିକର ଗୃହ ସମସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବରେ ଉଠିଥିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୭୪,୨୨୪ଟି ଅଙ୍ଗନବାଡ଼ୀ କେନ୍ଦ୍ର ମଧ୍ୟରୁ ୨୦,୧୫୦ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ।
ଏଥି ମଧ୍ୟରୁ ୭,୩୮୯ଟି କେନ୍ଦ୍ରର ଗୃହନିର୍ମାଣ କାର୍ଯ୍ୟ ଚାଲିଛି। ତଥାପି, ଏକ ବଡ଼ ସଂଖ୍ୟକ ଅଙ୍ଗନବାଡ଼ୀ କେନ୍ଦ୍ର ବିଭିନ୍ନ ଅସ୍ଥାୟୀ ବ୍ୟବସ୍ଥାରେ ଚାଲୁଛି, ଯେପରିକି ୩,୮୯୦ଟି ଭଡ଼ା ଘରେ, ୪,୫୭୪ଟି ସ୍କୁଲ ଘରେ ଏବଂ ୧୦,୪୬୯ଟି କମ୍ୟୁନିଟି ସେଣ୍ଟରରେ କାର୍ଯ୍ୟ ଚାଲିଛି।
ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜୋର ଦେଇ କହିଛନ୍ତି ଯେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ୀର ଶତପ୍ରତିଶତ ନିଜସ୍ୱ ଗୃହ କରାଇବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରିଛନ୍ତି। ଗୃହନିର୍ମାଣ ପାଇଁ ପୂର୍ବରୁ ଥିବା ୧୫ ଲକ୍ଷ ଟଙ୍କା ବଦଳରେ ବର୍ତ୍ତମାନ ନୂତନ ବ୍ୟବସ୍ଥା କରାଯାଇ ପ୍ରତି ଗୃହ ପାଇଁ ୩୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ୧୮ ଫେବୃଆରୀ ୨୦୨୫ରେ ଜାରି କରାଯାଇଥିବା ପତ୍ର ଅନୁଯାୟୀ ଏହି ନୂତନ ଅର୍ଥବ୍ୟବସ୍ଥା କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ଅର୍ଥ ନଥିବା ଆଭାସ ଦେବା ପ୍ରଶ୍ନକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି ଯେ ଅତିରିକ୍ତ ବଜେଟ ବ୍ୟବସ୍ଥା ମାଧ୍ୟମରେ ସମସ୍ତ କାର୍ଯ୍ୟ ସଂପାଦନ କରାଯାଇଛି ଏବଂ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସକ୍ଷମ କେନ୍ଦ୍ରଗୁଡ଼ିକରେ ଆଧୁନିକ ସୁବିଧା ଯୋଗାଇଦେବା ପାଇଁ ଏଲଇଡି, ଆରଓ ଓ ମେସିନ୍ ବିଦ୍ୟୁତ୍ ବ୍ୟବସ୍ଥା କରାଯାଇଛି। ଯେଉଁସବୁ ସ୍ଥାନରେ ଜାଗା ସମସ୍ୟା ରହିଛି, ସେଠାରେ ଜାଗା କ୍ରୟ କରି ଗୃହନିର୍ମାଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
