ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ନାହିଁ : ସରକାରୀ କଠୋର ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ସରକାରୀ କର୍ମଚାରୀମାନେ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ ନକଲେ ପଦୋନ୍ନତି ପାଇବେ ନାହିଁ ବୋଲି ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଚିଠି ଜାରି କରି ଏହି ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏହି ଚିଠି ସବୁ ବିଭାଗକୁ ପଠାଇଛନ୍ତି ।
ଏହା ପୂର୍ବରୁ ଜାନୁଆରୀ ମାସ ଆଦେଶ ଦିଆଯାଇଥିଲା ଯେ ସମସ୍ତ କର୍ମଚାରୀଙ୍କୁ ଜାନୁଆରୀ ମାସ ସୁଦ୍ଧା ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାକୁ ହବ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବହୁଥର ଚିଠି ମଧ୍ୟ ଲେଖାଯାଇଥିଲା । ତଥାପି ଅନେକ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରି ନାହାଁନ୍ତି, ଯାହାକୁ ଲକ୍ଷ୍ୟ ରଖି ସରକାର ଏଥିପାଇଁ କଠୋର ନିର୍ଦ୍ଦେଶ ଜାରି କଲେ ।
ବର୍ତ୍ତମାନ ସବୁ ବିଭାଗର ମୁଖ୍ୟ, ଆରଡିସି ଏବଂ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୱାର କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଏଚଆରଏମଏସ ପୋର୍ଟାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମେ ମାସ ୩୧ ତାରିଖକୁ ଚୂଡ଼ାନ୍ତ ତାରିଖ ରଖାଯାଇଛି ।
ସାଧାରଣ ପ୍ରଶାସନ ବିଭାଗର ଚିଠିରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, ୧୯୯୨ ଏବଂ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ (ସଂଶୋଧନ) ନିୟମ, ୨୦୨୧ ର ନିୟମ ୨୧(୪) କୁ ଉଲ୍ଲେଖ କରାଯାଇଛି । ଏହି ନିୟମ ଅନୁଯାୟୀ ପଦୋନ୍ନତି ପାଇଁ ସଦ୍ୟତମ ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରିବା ଏକ ବାଧ୍ୟତାମୂଳକ ଆବଶ୍ୟକତା ।
ଚିଠିରେ ସ୍ପଷ୍ଟ କରାଯାଇଛି ଯେ ଯେ କୌଣସି କର୍ମଚାରୀ ପଦୋନ୍ନତି କମିଟି (ଡିପିସି) ସମୟରେ ତାଙ୍କର ସଦ୍ୟତମ ସମ୍ପତ୍ତି ତାଲିକା ଦାଖଲ କରି ନଥିଲେ, ତାଙ୍କୁ ପଦୋନ୍ନତି ପାଇଁ ‘ଉପଯୁକ୍ତ ନୁହେଁ’ ବୋଲି ବିବେଚନା କରାଯିବ । କେବଳ ସମ୍ପତ୍ତି ତାଲିକା ଦାଖଲ କରିଥିବା କର୍ମଚାରୀଙ୍କ ଯୋଗ୍ୟତା ଓ ଉପଯୁକ୍ତତା ଆଧାରରେ ଖାଲି ପଦବୀ ପୂରଣ କରାଯିବ । ତାଲିକା ନଦେଇଥିବା କର୍ମଚାରୀଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ରଖାଯିବ ନାହିଁ ।
ଯଦି କୌଣସି କର୍ମଚାରୀ ଡିପିସି ପରେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗ୍ରେସ୍ ପିରିଅଡ୍ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରନ୍ତି ଏବଂ ପଦୋନ୍ନତି ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ ହୁଅନ୍ତି, ତେବେ ପରବର୍ତ୍ତୀ ଡିପିସିରେ ତାଙ୍କ ବିଷୟରେ ବିଚାର କରାଯାଇପାରିବ । ଏହି ସ୍ଥଳେ, ତାଙ୍କ କନିଷ୍ଠ କର୍ମଚାରୀଙ୍କ ପଦୋନ୍ନତି ତାରିଖରୁ ତାଙ୍କୁ କାଳ୍ପନିକ ପଦୋନ୍ନତି ଦିଆଯାଇ ବରିଷ୍ଠତା ବଜାୟ ରଖାଯିବ ।
