FeaturedLatestNews

୧୩୩ରୁ ମାତ୍ର ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ, ନୂଆ ୫୮ଟି ନିର୍ମାଣର ଯୋଜନା

ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାରେ ଶୀତଳ ଭଣ୍ଡାର ବିଷୟଟି ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ରାଜ୍ୟରେ ଏହି ପରିସଂଖ୍ୟାନ ଉଭା ହୋଇଛି। ଖାଦ୍ୟ ପଦାର୍ଥ ରକ୍ଷଣାବେକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଶୀତଳ ଭଣ୍ଡାରଗୁଡ଼ିକର ଅଧିକାଂଶ ଅଚଳ ଅବସ୍ଥାରେ ରହିଛି। କୃଷି ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଦେୟ ଅନୁସାରେ, ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ଥିବା ସତ୍ତ୍ୱେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ଅଛି। କାର୍ଯ୍ୟକ୍ଷମ ଭଣ୍ଡାରଗୁଡ଼ିକର ମୋଟ କ୍ଷମତା ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍।

ଗତ ଦଶ ବର୍ଷରେ ରାଜ୍ୟରେ ୨୬ଟି ନୂଆ ଶୀତଳ ଭଣ୍ଡାର ନିର୍ମିତ ହୋଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରୁ ୨୨ଟି କାର୍ଯ୍ୟକରୁଛି ଏବଂ ୪ଟି କାମ କରୁନାହିଁ। ସମସ୍ତ ଅଚଳ ଶୀତଳ ଭଣ୍ଡାର ମଧ୍ୟରୁ ୨୦ଟି ସରକାରୀ ଏବଂ ୮୮ଟି ବେସରକାରୀ ଖାତାରେ ରହିଛି। ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଯଦି ସମସ୍ତ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା, ତେବେ ଆଳୁ ପରି ଫସଲର ଝଡ଼ ସମସ୍ୟା ଦେଖାଦେଇନଥାନ୍ତା।

ଏହି ଅଭାବ ଦୂର କରିବା ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ସବ୍-ଡିଭିଜନ୍ ସ୍ତରରେ ୫୮ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି, ଯାହା ପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭବିଷ୍ୟତରେ ବ୍ଲକ ସ୍ତରରେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟ କରାଯିବାର ଯୋଜନା ରହିଛି।

ଏଥିସହିତ, ୧୫ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ ଏବଂ ୨ଟି ପୁରାତନ ଅଚଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦରଖାସ୍ତ ପହଞ୍ଚିଛି। ସରକାର ଏଥିରୁ ୫ଟି ପ୍ରକଳ୍ପକୁ ଅନୁମୋଦନ ଦେଇସାରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକୁ ଉତ୍ସାହିତ କରିବା ପାଇଁ ସରକାର ସବସିଡି ଯୋଗାଇବା ଏବଂ ବିଦ୍ୟୁତ ଶୁଳ୍କରେ ରିହାତି ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଚାଲୁ ଆର୍ଥିକ ବର୍ଷରେ ରାଜ୍ୟରେ ୨୩୯ଟି ସୋଲାର କୋଲ୍ଡ ରୁମ୍ ଖୋଲାଯାଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି।