FeaturedLatestNews

ଗତ ଦେଢ଼ ବର୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଗ୍ରହଣ କରିଛନ୍ତି ୧୩,୩୫୮ ଟି ଅଭିଯୋଗ : ଆଇନ ମନ୍ତ୍ରୀ 

ଭୁବନେଶ୍ୱର (ସଂକେତ ଟିଭି): ଗତ ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନିଜେ ୧୩,୩୫୮ ଟି ଅଭିଯୋଗ ଗ୍ରହଣ କରିଛନ୍ତି। ସେଥିରୁ ୧୨,୪୩୨ ଟିର ସମାଧାନ ହୋଇସାରିଛି, ଯାହା ୯୧% ହିସାବରେ ରହିଛି। ବାକି ଅଭିଯୋଗଗୁଡ଼ିକ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଜନଶୁଣାଣି ପୋର୍ଟାଲ୍ ସଂପର୍କରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନଭେମ୍ବର ମାସ ସୁଦ୍ଧା ସେଥିରେ ୧୪ ଲକ୍ଷ ୪୧ ହଜାର ୮୩୨ ଟି ଅଭିଯୋଗ ଆସିଛି। ଜିଲ୍ଲାପାଳ, ଜିଲ୍ଲା ପୋଲିସ୍ ଅଧିକାରୀ, ବ୍ଲକ୍ ବିକାଶ ଅଧିକାରୀ ଓ ତହସିଲଦାରଙ୍କ ଯୁଗ୍ମ ଶୁଣାଣି କରି ଏଯାଏ ୧୩ ଲକ୍ଷ ୭୨ ହଜାର ୫୫୩ ଟି ମାମଲାର ସମାଧାନ କରାଯାଇଛି। ବାକି ୧ ଲକ୍ଷ ୩୪ ହଜାର ୫୭୯ ଟି ଜଟିଳ ମାମଲା ଥିବାରୁ ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।

ଏହି ପ୍ରସଙ୍ଗରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ଭୁବନେଶ୍ୱର ବାହାରେ ଅର୍ଥାତ୍ ଜିଲ୍ଲା, ବ୍ଲକ୍ ଓ ତହସିଲ ସ୍ତରରେ ଯେଉଁସବୁ ଅଭିଯୋଗ ଆସୁଛି, ସେଗୁଡ଼ିକର ସମାଧାନ ହୋଇପାରୁନି। ସେହି ସବୁ ସ୍ତରରେ କେତେ ଅଭିଯୋଗ ଆସୁଛି ତାହାର ଏକ ତାଲିକା ଦାବି କରିଛନ୍ତି ମଲ୍ଲିକ। ଆଇନମନ୍ତ୍ରୀ କହିଥିବା ‘ଚାଉଳ ଓ ଘର ତତକ୍ଷଣାତ ମିଳୁଛି’ କଥାକୁ ସେ ଚାଲେଞ୍ଜ କରି କହିଛନ୍ତି ଯେ ଅନେକ ସ୍ଥଳରେ ସମ୍ବନ୍ଧିତ ୱେବସାଇଟ୍ ମଧ୍ୟ ଖୋଲୁନି।

ବିଧାୟକମାନଙ୍କୁ ନେଇ ଅଭିଯୋଗ ଶୁଣାଣି ହେବ କି ନାହିଁ ଏବଂ ସମାଧାନର ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯିବ କି ନାହିଁ ବୋଲି ପଚାରିଥିବା ପ୍ରମିଳା ମଲ୍ଲିକଙ୍କୁ ଉତ୍ତର ଦେଇ ଆଇନମନ୍ତ୍ରୀ କହିଛନ୍ତି ଯେ ଯୁଗ୍ମ ଶୁଣାଣି ପ୍ରକ୍ରିୟା ଚାଲିଛି। ବିଧାୟକମାନେ ଯଦି ଏହି ଶୁଣାଣି ପ୍ରକ୍ରିୟାରେ ଯୋଗଦାନ କରନ୍ତି, ତେବେ ସମାଧାନ ହାର ଅଧିକ ବଢ଼ିପାରିବ। କାରଣ ବିଧାୟକମାନେ ସ୍ଥାନୀୟ ସ୍ତରରେ ରହି ଲୋକଙ୍କ ସମସ୍ୟାକୁ ଅଧିକ ନିଷ୍ଠା ସହିତ ସମାଧାନ କରିବାରେ ସହାୟକ ହୋଇପାରିବେ।