କଲେଜ କେମ୍ପସରେ ଛାତ୍ରଙ୍କୁ ଛୁରା ମାଡ଼; ଅଭିଯୁକ୍ତ ଛାତ୍ର ଅଟକ
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବାଇଗଣବାଡିଆସ୍ଥିତ ବିବି କଲେଜ ପରିସରରେ ସୋମବାର ଦିନ ଦୁଇ ଛାତ୍ର ମଧ୍ୟରେ ହୋଇଥିବା ସଂଘର୍ଷ ଛୁରାମାଡ଼ରେ ପରିଣତ ହେଲା। ଏଥିରେ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି।
ଆହତ ଛାତ୍ର ପ୍ରହ୍ଲାଦ ବିନ୍ଧାଣି (ବାଣିଜ୍ୟ ଦ୍ୱିତୀୟ ବର୍ଷ)ଙ୍କୁ ପ୍ରଥମେ କୁଳିଅଣା ଡାକ୍ତରଖାନା ଏବଂ ପରେ ସ୍ଥିତି ଗୁରୁତର ହେତୁ କଟକର ଏସସିବି ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସ୍ଥିତି ଗୁରୁତର ବୋଲି କୁହାଯାଉଛି।
ଘଟଣା ପରେ ଅଭିଯୁକ୍ତ ଛାତ୍ର ଅକ୍ଷୟ ବିଶ୍ଵାଳ (ବାରିପଦା ସଦର ଥାନା ଅଧୀନ ଦାମୋଦରପୁର ଗ୍ରାମ ନିବାସୀ)ଙ୍କୁ ପୁଲିସ ଅଟକକରି ତଦନ୍ତ ଆରମ୍ଭ କରିଛି। ଉଭୟ ଛାତ୍ର ଏକି ବିଭାଗର ବତେ।
ଏହି ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ କଲେଜ ଫାଟକ ବନ୍ଦ କରି ତାଲା ପକେଇଛନ୍ତି, ଯେଉଁଥରେ କଲେଜ ଭିତରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଅଟକି ରହିଛନ୍ତି। କଲେଜ କ୍ୟାମ୍ପସରେ ବ୍ୟାପକ ପୁଲିସ ମୋତୟନ କରାଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାଯାଏ ଯେ, ଏକ କ୍ଷୁଦ୍ର ବିଷୟକୁ ନେଇ ଦୁଇ ଛାତ୍ର ମଧ୍ୟରେ ମୌଖିକ ବାଦବିବାଦ ହୋଇଥିଲା, ଯାହା ହିଂସାରେ ପରିଣତ ହେଲା। ଆହତ ଛାତ୍ରଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ନ୍ୟାୟ ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ଘଟଣାର ସମ୍ପୁର୍ଣ୍ଣ କାରଣ ଉଦ୍ଘାଟନ ପାଇଁ ପୁଲିସ ଅନୁସନ୍ଧାନ ଚଳାଇଛନ୍ତି।
