ନିଆଁରେ ଜଳି କଲେଜ ଛାତ୍ରୀଙ୍କ ମୃତ୍ୟୁ: ସରକାରୀ ନିଷ୍କ୍ରିୟତାକୁ ଆକ୍ଷେପ କଲେ ନବୀନ
ଭୁବନେଶ୍ବର (ସଂକେତ ଟିଭି): ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ଏକ କଲେଜ ଛାତ୍ରୀ ନିଆଁରେ ଜଳି ପ୍ରାଣହରାଇଥିବା ହୃଦୟବିଦାରକ ଘଟଣାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ସେ ନିଜ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହି ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଛାତ୍ରୀଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।
ପ୍ରତିକ୍ରିୟାରେ ସେ ସରକାରଙ୍କ ଉଦାସୀନତାକୁ ଆକ୍ଷେପ କରି କହିଛନ୍ତି, “ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ?” ତାଙ୍କ ମତରେ, ଏହିପରି ଘଟଣା ବିରୁଦ୍ଧରେ ସରକାରୀ ନିଷ୍କ୍ରିୟତା ଅପରାଧୀଙ୍କ ସାହସ ବଢ଼ାଉଛି ଏବଂ ଲୋକେ ନିରାପତ୍ତା ବୋଲି ଅନୁଭବ କରୁନାହାନ୍ତି।
ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଉକ୍ତ ଛାତ୍ରୀଙ୍କର ଗତକାଲି ରାତି ପ୍ରାୟ ଗୋଟାଏ ମୃତ୍ୟୁ ହୋଇଯାଇଛି। ତାଙ୍କ ଶରୀରର ୯୨ ପ୍ରତିଶତ ଅଂଶ ଜଳିଯାଇଥିବାରୁ ସ୍ଥିତି ସଦାବେଳେ ସଙ୍କଟାପନ୍ନ ଥିଲା। ମୃତ୍ୟୁ ପରେ ତାଙ୍କ ଶବକୁ ମର୍ଗ ହାଉସରେ ରଖାଯାଇଥିଲା ଏବଂ ଶବ ବ୍ୟବଚ୍ଛେଦ ପରେ ପୁଲିସ ଏହାକୁ ପରିବାରବର୍ଗଙ୍କ ହସ୍ତାନ୍ତର କରିବ। ଏହି ଘଟଣାରେ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି।
ଘଟଣାଟିର ଗୁରୁତ୍ୱ ଦେଖି ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ଥାନୀୟ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଓ ଆଇଜିଏଚ୍ର ନିର୍ଦେଶକ ଡାକ୍ତର ଜୟନ୍ତ କୁମାର ଆଚାର୍ଯ୍ୟ ହସ୍ପିଟାଲ୍ ପରିଦର୍ଶନ କରି ଛାତ୍ରୀଙ୍କ ସ୍ଥିତି ବିଷୟରେ ଡାକ୍ତରଙ୍କଠାରୁ ବୃତ୍ତାନ୍ତ ନେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାକୁ ଦୁଃଖଦାୟକ ବୋଲି କହି ଜଣାଇଥିଲେ ଯେ ଅଭିଯୁକ୍ତ ପୁଲିସ ଗିରଫ କରିସାରିଛି ଏବଂ ତଦନ୍ତ ଚାଲିଛି।
ଗତ ୫ ତାରିଖ ରାତିରେ ଘରେ ଥିବାବେଳେ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦିଆଯାଇଥିଲା। ସୁନ୍ଦରଗଡ ଏସ୍ପି ଅମ୍ରିତପାଲ କୌରଙ୍କ ଅନୁସାରେ, ପ୍ରାଥମିକ ତଦନ୍ତରେ ଜଣାଯାଇଛି ଯେ ଅଭିଯୁକ୍ତ ନିଲେଶ ସାହୁ (୨୫) ବିଭିନ୍ନ ସମୟରେ ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏହି ହଇରାଣ ସହ୍ୟ ନ କରିପାରି ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ନିଲେଶ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି।
