ନ୍ୟାୟ ସହଜ ଓ ଶସ୍ତା ହେଲେ ତାହାର ପ୍ରକୃତ ମୂଲ୍ୟ ବୁଝାଯିବ: ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ
କଟକ (ସଂକେତ ଟିଭି): ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ, ଶସ୍ତା ଓ ମାନବୀୟ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଶହୀଦ ଭବନରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ ବିଶେଷ ସିମ୍ପୋଜିୟମରେ ବକ୍ତୃତା ଦେଉଥିବା ସିଜେଆଇ କହିଛନ୍ତି ଯେ ନ୍ୟାୟ କେବଳ ସମ୍ବିଧାନ କିମ୍ବା ବହିରେ ସୀମିତ ନ ରହି ସାଧାରଣ ଲୋକଙ୍କ ଜୀବନରେ ଅନୁଭବ ହେବା ଦରକାର ।
ତାଙ୍କ ଭାଷଣରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଉଲ୍ଲେଖ କରିଛନ୍ତି ଯେ ମାମଲା ଲଢିବାର ଅଧିକ ଖର୍ଚ୍ଚ ଏବଂ ନ୍ୟାୟ ମିଳିବାରେ ଅତ୍ୟଧିକ ବିଳମ୍ବ ସାଧାରଣ ଲୋକଙ୍କ ପାଇଁ ଦୁଇଟି ପ୍ରମୁଖ ସମସ୍ୟା । ଏହି ବିଳମ୍ବ ଯୋଗୁଁ ଲୋକେ କେବଳ ପଇସା ହରାନ୍ତି ନାହିଁ, ବରଂ ମାନସିକ ଓ ଆର୍ଥିକ ଯନ୍ତ୍ରଣା ମଧ୍ୟ ଭୋଗନ୍ତି, ଫଳରେ ନ୍ୟାୟ ବ୍ୟବସ୍ଥା ଉପରେ ଥିବା ଭରସା କମିଯାଏ । କୋର୍ଟରେ ଜମା ହୋଇଥିବା ମାମଲାଗୁଡ଼ିକ କେବଳ ସଂଖ୍ୟା ନୁହେଁ, ଏହା ଜିଲ୍ଲା କୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାକୁ ପ୍ରଭାବିତ କରେ ବୋଲି ସେ କହିଛନ୍ତି ।
ନ୍ୟାୟିକ ବିଳମ୍ବ ଦୂର କରିବା ପାଇଁ ସିଜେଆଇ କିଛି ମାର୍ଗ ଦର୍ଶାଇଛନ୍ତି । ସମ୍ବିଧାନିକ କୋର୍ଟଗୁଡ଼ିକ ଯଦି ଚୂଡ଼ାନ୍ତ ମାମଲାରେ ଠିକ୍ ସମୟରେ ନିଷ୍ପତ୍ତି ଦେବେ, ତେବେ ତଳ କୋର୍ଟଗୁଡ଼ିକ ପାଇଁ କାମ କରିବା ସୁବିଧା ହେବ ଏବଂ ବ୍ୟବସ୍ଥା ସୁଦୃଢ ହେବ । ଆପୋଷ ବୁଝାମଣା ମାଧ୍ୟମରେ ବିବାଦ ସମାଧାନକୁ ଉତ୍ସାହିତ କରି “ମିଡିଏସନ୍ ଫର୍ ଦ ନେସନ୍” ଅଭିଯାନ ସଫଳ ହୋଇଛି ବୋଲି କହି ସେ ମତ ଦେଇଛନ୍ତି ଯେ ଭାରତର ଏହି ପୁରାତନ ପରମ୍ପରାକୁ ଆଧୁନିକ ଉପାୟରେ ଅପନୟନ କରାଯିବା ଉଚିତ୍ ।
ସେ ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ମାମଲାକୁ ଲମ୍ବା ନକରି ଶୀଘ୍ର ସମାଧାନ ପାଇଁ ମକେଲମାନଙ୍କୁ ଉପଦେଶ ଦେବା ଉଚିତ୍, ଏହା ଓକିଲାତି ପେଶାର କ୍ଷତି ନୁହେଁ ବରଂ ନ୍ୟାୟ ପାଇଁ ଏକ ସେବା । ସରକାରଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ଯେ ଛୋଟ ଛୋଟ କଥାରେ ଉପର କୋର୍ଟକୁ ଅପିଲ୍ କରିବା ପରିବର୍ତ୍ତେ ସରକାରୀ ଅଧିକାରୀମାନେ ଭୟ ନକରି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉଚିତ୍ ।
ଶେଷରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଟେକ୍ନୋଲୋଜି ନ୍ୟାୟିକ ପ୍ରକ୍ରିୟାରେ ଦୂରତା ଓ ବିଳମ୍ବ କମାଇପାରେ, କିନ୍ତୁ ଏହା କେବେ ବି ମଣିଷର ବିଚାର ବୁଦ୍ଧିର ସ୍ଥାନ ନେଇପାରିବ ନାହିଁ, ଏହା କେବଳ ସାହାଯ୍ୟକାରୀ ହୋଇରହିବ ।
