FeaturedLatestNewsPolitics

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ବାସଭବନ ବ୍ୟବସ୍ଥା: ବିଜେଡିର ତୀବ୍ର ସମାଲୋଚନା

ଭୁବନେଶ୍ୱର (ସଂକେତ ଟିଭି): ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଲଗା ବାସଭବନ ପ୍ରସଙ୍ଗରେ ବିଜୁ ଜନତା ଦଳ (ବିଜେଡି) ତୀବ୍ର ଆପତ୍ତି ଜଣାଇଛି । ଦଳର ମୁଖ୍ୟପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଏଭଳି ଅଲଗା ବାସଭବନ ନେଇ ନାହାନ୍ତି । ତେଣୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି ନୂତନ ବ୍ୟବସ୍ଥା କାହିଁକି କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ।

ମହାନ୍ତି ଦର୍ଶାଇଛନ୍ତି ଯେ ଏହି ଘରର ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୋଲିସ ବଦଳରେ ଓଡ଼ିଶା ପୋଲିସଙ୍କୁ ଦିଆଯିବାର ପରିକଳ୍ପନା ଅଛି, ଯାହାକୁ ୨୬ ଜଣରୁ ଅଧିକ କନଷ୍ଟେବଳ ଏବଂ ବୁଲେଟ୍-ପ୍ରୁଫ୍ ଗାଡ଼ି ସହିତ ମୁତୟନ କରାଯିବ । ସେ ପ୍ରଶ୍ନ କରିଛନ୍ତି, “ଏଥିପାଇଁ ଓଡ଼ିଶା ତହବିଲରୁ କରଦାତାଙ୍କ ଟଙ୍କା ଦିଆଯିବ । ଭାଷା ଭିତ୍ତିରେ ଓଡ଼ିଶା ଗଠନ ପରଠାରୁ ଏହା କେବେ ଘଟି ନଥିଲା । ଓଡ଼ିଶା ପୋଲିସକୁ ନେଇ ସେଠାରେ କଣ ଲୁଚାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ? ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନିଆଯାଇଛି କି?”

ଅନ୍ୟ ଏକ ବିବାଦୀୟ ପ୍ରସଙ୍ଗକୁ ମଧ୍ୟ ଲେନିନ ମହାନ୍ତି ଉଠାଇଛନ୍ତି । ସେ କହିଛନ୍ତି ଯେ ଏକ ଦାମୀ ହୋଟେଲରୁ ପ୍ରତିଦିନ ୧୦୦ରୁ ଅଧିକ ମିଲ୍ (ଭୋଜନ) ଆସୁଛି ଏବଂ ତାହା ଲୋକସେଭା ଭବନର ୪୦୦ ମିଟର ପରିଧି ଭିତରେ ବ୍ୟବହାର ହେଉଛି, ଯେଉଁଥିରେ ପ୍ରତ୍ୟେକ ମିଲ୍ର ମୂଲ୍ୟ ୪୦୦୦ ଟଙ୍କା ବୋଲି ଦାବି କରାଯାଇଛି ।

ସେ ଆହୁରି ମଧ୍ୟ କେନ୍ଦୁଝର ଅଞ୍ଚଳରେ ପ୍ରକଳ୍ପ ସଂଲଗ୍ନ ଜମି କ୍ରୟ କରିବା ସମ୍ବନ୍ଧରେ ପ୍ରଶ୍ନ ଉଠାଇଛନ୍ତି । “ଆର୍ସେଲର-ମିତ୍ତଲ ଆସିଲେ ଭଲ, ହେଲେ ଶାସକ ଦଳର କିଏ ସେ ଲୋକ ଯିଏ କେନ୍ଦୁଝରର ଏହି ପ୍ରକଳ୍ପ ଅଞ୍ଚଳ ପାଖରେ ଜମି କିଣିଲେ? ଜୟସ୍ବାଲ କିଏ? ସେ କେମିତି ସୁପର ମୁଖ୍ୟମନ୍ତ୍ରୀ ହେଲା?” ବିଜେଡି ଏହି ସବୁ ପ୍ରଶ୍ନର ଉତ୍ତର ଦାବି କରିଛି ।