ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍, ୬୭ ଲକ୍ଷ ଟଙ୍କା ଜମା ସହ କୋଠାବାଡ଼ି ଓ ସୁନା ଜବତ
ଜଗତସିଂହପୁର (ସଂକେତ ଟିଭି): ଜଗତସିଂହପୁର ଜିଲ୍ଲାର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଚଲାଇଛି । ଏହି ଚଢ଼ାଉରେ ରାଜେନ୍ଦ୍ରଙ୍କ ନାମରେ ଥିବା ପ୍ରାୟ ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ପୋଷ୍ଟାଲ ଜମା ମିଳିଛି ।
ଭିଜିଲାନ୍ସ କର୍ମୀମାନେ ଜଗତସିଂହପୁର ସହରରେ ଦୁଇଟି ଏବଂ କଟକ ସହର ବାହାରେ ଗୋଟିଏ ପ୍ଲଟ୍ ଠାବ କରିଛନ୍ତି । ଜଗତସିଂହପୁରରେ ଗୋଟିଏ ତିନି ମହଲା ଓ ଗୋଟିଏ ଦୁଇ ମହଲା କୋଠା ମଧ୍ୟ ଚିହ୍ନଟ କରାଯାଇଛି । ଏଥିସହ ସାଢ଼େ ତିନି ଲକ୍ଷ ଟଙ୍କା ନଗଦ, ପ୍ରାୟ ଦୁଇ ଶହ ଗ୍ରାମ ଓଜନର ସୁନାର ଅଳଙ୍କାର, ଗୋଟିଏ ଚାରି ଚକିଆ ଏବଂ ଦୁଇଟି ଦୁଇ ଚକିଆ ଯାନ ଜବତ କରାଯାଇଛି ।
କୋଟିପତି ଏହି ରେଞ୍ଜରଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ବିଭାଗ ଟେରା ହୋଇଯାଇଥିବା କୁହାଯାଉଛି । ଏଯାଏଁ ଭିଜିଲାନ୍ସ ରାଜେନ୍ଦ୍ରଙ୍କର ଗୋଟିଏ ତିନି ମହଲା କୋଠା, ତିନି ଟି ଦାମୀ ପ୍ଲଟ୍, ସାଢେ ତିନି ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ଚାରି ଚକିଆ ଓ ଦୁଇଟି ଦୁଇ ଚକିଆ ଗାଡ଼ି ଠାବ କରିସାରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କର ସମୁଦାୟ ଚାରିଟି ଠିକଣାରେ ଏହି ରେଡ୍ ଅଭିଯାନ ଚାଲିଛି ।
ଜଣାଯାଏ ଯେ, ଶ୍ରୀ ସାମନ୍ତରାୟ ୧୯୮୫ ମସିହାରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ଏବଂ ସେତେବେଳେ ତାଙ୍କ ପ୍ରାରମ୍ଭିକ ମାସିକ ଦରମା ଥିଲା ମାତ୍ର ୧୫୦୦ ଟଙ୍କା । ସେ ୨୦୨୧ ମସିହାରେ ଡେପୁଟି ରେଞ୍ଜର ଭାବେ ପଦୋନ୍ନତି ପାଇ ଅନୁଗୁଳରେ ନିୟୋଜିତ ହୋଇଥିଲେ । ୨୦୨୩ ମସିହାରେ ସେ ରେଞ୍ଜର ପଦବୀରେ ପଦୋନ୍ନତି ପାଇ ଜଗତସିଂହପୁର ରାହାମା ରେଞ୍ଜରେ କାର୍ଯ୍ୟରତ ଥିଲେ । ତାଙ୍କର ସାରା ୪୦ ବର୍ଷର ଚାକିରି ଜୀବନ କେବଳ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ କଟିଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦାବି କରାଯାଇଛି ଯେ, ତାଙ୍କର ଚାକିରି ଜୀବନର ଆୟ ତୁଳନାରେ ଏହି ସମ୍ପୂର୍ଣ୍ଣ ସଂପତ୍ତି ବେଶୀ ଅଟେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଅଗ୍ରସର ହେବାକୁ ଥିବା ଭିଜିଲାନ୍ସ ବିଭାଗ ଏହି ତଦନ୍ତ ଜାରି ରଖିଛି ।
