ବିଜୁଳି, ଧାନ ଓ ମନରେଗାକୁ ନେଇ ସପ୍ତାହ ବ୍ୟାପୀ କଂଗ୍ରେସର ଆନ୍ଦୋଳନ ଡାକରା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବିଜୁଳି ଦର, ଧାନ ସଂଗ୍ରହ ସମସ୍ୟା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MGNREGA)ର ନାମ ପରିବର୍ତ୍ତନ ବିରୋଧରେ ଉପରୁ ତଳେ ଏକ ସପ୍ତାହ ବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା କଂଗ୍ରେସ । ଦଳ ଏହି ତିନି ମୁଖ୍ୟ ବିଷୟକୁ ନେଇ ଡିସେମ୍ବର ୨୨ରୁ ୨୯ ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ।
ଆନ୍ଦୋଳନର କାର୍ଯ୍ୟସୂଚୀ
୨୨ ଡିସେମ୍ବର (ସୋମବାର): ମନରେଗା ଯୋଜନାର ନାମ ପରିବର୍ତ୍ତନର ବିରୋଧରେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଧାରଣା ଓ ବିଜେପି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର ପେଶ କରାଯିବ ।
୨୩ ଡିସେମ୍ବର (ମଙ୍ଗଳବାର): ରାଜ୍ୟରେ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ବିରୋଧରେ ସମସ୍ତ ଜିଲ୍ଲା ଓ ଉପଜିଲ୍ଲା ମୁଖ୍ୟାଳୟ ଆଗରେ ବିରୋଧ ଧାରଣା ଅନୁଷ୍ଠିତ ହେବ । ଚାଷୀମାନଙ୍କ ହାଲହତିଆର ପରିସ୍ଥିତିକୁ ଲକ୍ଷ୍ୟ କରି ଏହି ଆନ୍ଦୋଳନ ହେବ ।
୨୪ ଡିସେମ୍ବର (ବୁଧବାର): ଧାନ ସଂଗ୍ରହରେ ସରକାରୀ ଅଚଞ୍ଚଳତା ବିରୋଧରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରା ବାହାର କରିବେ । ଶୋଭାଯାତ୍ରାର ରୂଟ ଜିଲ୍ଲା ସଭାପତିମାନେ ନିର୍ଦ୍ଧାରଣ କରିବେ ।
୨୬ ଡିସେମ୍ବର (ଶୁକ୍ରବାର): ଟାଟା ପାୱାରର ବିଜୁଳି ଦର ବୃଦ୍ଧି ଓ ମନମୁଖୀ ନୀତି ବିରୋଧରେ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ହେବ । ‘ଆମେ ଟାଟା କମ୍ପାନିକୁ ଏସ୍ଡି ବା ଅତିରିକ୍ତ ସୁରକ୍ଷା ଜମାରାଶି ଦେବୁ ନାହିଁ’, ‘ଗ୍ରାହକଙ୍କୁ ଶୋଷଣ ବନ୍ଦ କର’ ଆଦି ନାରା ଦେଇ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଦଳର ଶୀର୍ଷ ନେତା ସାଧାରଣ ସଭାରେ ଉଦ୍ବୋଧନ ଦେବେ ।
୨୮ ଡିସେମ୍ବର (ରବିବାର): ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ରାଜ୍ୟ, ଜିଲ୍ଲା, ବ୍ଳକ୍, ପଂଚାୟତ ଓ ଗ୍ରାମ ସ୍ତରରେ ବ୍ୟାପକ ଭାବେ ପାଳନ କରାଯିବ ।
୨୯ ଡିସେମ୍ବର (ସୋମବାର): ବିଦ୍ୟୁତ୍ ବିଭାଗ ଉପରେ ଟାଟା ପାୱାରକୁ ଦିଆଯାଉଥିବା ଏସ୍ଡି (ସୁରକ୍ଷା ଜମାରାଶି) ପ୍ରତ୍ୟାହାର ଦାବିରେ ପ୍ରତ୍ୟେକ ଜିଲ୍ଲାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରାଯିବ ।
