ଯେତେବେଳେ ମୋଦୀ ବିଫଳ ହୁଅନ୍ତି, ସେ ସବୁକିଛି ବିରୋଧ ଦଳ ଉପରେ ଲଦି ଦିଅନ୍ତି
ନୂଆଦିଲ୍ଲୀ (ସଂକେତ ଟିଭି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ଉତ୍ତର-ପୂର୍ବାଞ୍ଚଳକୁ ଅବହେଳା ଏବଂ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ଅଭିଯୋଗ କରି କଂଗ୍ରେସ ଉପରେ ଆକ୍ରମଣ କରିବାର ପରଦିନ ହିଁ କଂଗ୍ରେସ ପକ୍ଷରୁ ତୀଖ୍ଯ ପ୍ରତିକ୍ରିୟା ଆସିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଖର୍ଗେ ଦର୍ଶାଇଛନ୍ତି ଯେ ବିଜେପି ଏବେ ଦୀର୍ଘ ସମୟ ଧରି କେନ୍ଦ୍ର ଏବଂ ଆସାମରେ କ୍ଷମତାରେ ଅଛି । ତେଣୁ କ୍ଷମତାଶୀନ ଦଳ ହିସାବରେ ଅନ୍ୟଙ୍କୁ ଦାୟୀ କରିବା ପରିବର୍ତ୍ତେ ନିଜର ଉତ୍ତରଦାୟିତ୍ୱ ଗ୍ରହଣ କରିବା ଉଚିତ୍ । ବିଜେପିର ନିୟମିତ ଭାବେ ଦୋଷାରୋପଣର ପ୍ରବୃତ୍ତିକୁ ସମାଲୋଚନା କରି ସେ କହିଛନ୍ତି, “ଆସାମ ଏକ ତଥାକଥିତ ଡବଲ-ଇଞ୍ଜିନ ସରକାର ଅଧୀନରେ ଶାସିତ ହେଉଛି । ଯଦି ସରକାର ଏହା ରୋକିବାରେ ବିଫଳ ହେଉଛନ୍ତି, ତେବେ ପ୍ରଧାନମନ୍ତ୍ରୀ କାହିଁକି କଂଗ୍ରେସ ଉପରେ ଦୋଷ ଲଦୁଛନ୍ତି? ଆମେ କଣ ସେଠାରେ କ୍ଷମତାରେ ଅଛୁ?”
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକ୍ଷ୍ୟ କରି ଖର୍ଗେ ଆହୁରି କହିଛନ୍ତି, “ଯେତେବେଳେ ସେ ବିଫଳ ହୁଅନ୍ତି, ସେ ସବୁକିଛି ବିରୋଧ ଦଳ ଉପରେ ଲଦି ଦିଅନ୍ତି । ମୁଁ ଏପରି ବିବୃତ୍ତିକୁ ନିନ୍ଦା କରେ । ସେମାନେ ଦେଶଦ୍ରୋହୀ, ଆମେ ନୁହେଁ ଏବଂ ଆମେ କାହାକୁ ରକ୍ଷା କରୁନାହୁଁ । ଦେଶର ସ୍ୱାର୍ଥରେ ଯାହା ଭଲ ହେବ, ଆମେ ତାହା କରିବୁ । କିନ୍ତୁ ଆମେ ଆତଙ୍କବାଦୀ, ଅନୁପ୍ରବେଶକାରୀ କିମ୍ବା ଅନ୍ୟମାନଙ୍କୁ ସମର୍ଥନ କରୁନାହୁଁ । ସେ ନିଜେ ଏମାନଙ୍କୁ ସୁରକ୍ଷା ଦେବାରେ ଏବଂ ଅନୁପ୍ରବେଶ ରୋକିବାରେ ବିଫଳ ହେଉଛନ୍ତି, ତାହାକୁ ସେ ଆମ ଉପରେ ଦୋଷ ଲଗାଉଛନ୍ତି ।”
ଉଲ୍ଲେଖ୍ୟ ଯେ, ଶନିବାର ଗୁଆହାଟୀ ବିମାନବନ୍ଦରରେ ଏକ ନୂଆ ଟର୍ମିନାଲ ଉଦଘାଟନ ପରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ଏହି ଆରୋପ ଲଗାଇଥିଲେ । ସେ କହିଥିଲେ ଯେ କଂଗ୍ରେସ ଆସାମ ଓ ଉତ୍ତର-ପୂର୍ବାଞ୍ଚଳକୁ ଅବହେଳା କରିଛି, ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଇଛି ଏବଂ ବର୍ତ୍ତମାନ ସିଟିଜନସିପ୍ (ସଂଶୋଧନ) ଆଇନ (CAA) କାର୍ଯ୍ୟକାରୀ କଲେ ଦେଶଦ୍ରୋହୀମାନେ ବିରୋଧ କରୁଛନ୍ତି । ଖର୍ଗେ ରବିବାର ତାଙ୍କରି ଏହି ମନ୍ତବ୍ୟକୁ ଲକ୍ଷ୍ୟ କରି ସମାଲୋଚନା କରିଛନ୍ତି ।
